ନୂଆଦିଲ୍ଲୀ: ମୁସ୍ତାଫିଜୁର ରେହମାନଙ୍କୁ IPL ରୁ ବହିଷ୍କାର କରାଯିବା ପରଠାରୁ ମୁହାଁମୁହିଁ ସ୍ଥିତିରେ ଭାରତ ଏବଂ ବାଂଲାଦେଶର କ୍ରିକେଟ ବୋର୍ଡ। ବାଂଲାଦେଶ ପ୍ରଥମେ ୨୦୨୬ ଟି ୨୦ ବିଶ୍ଵକପ୍ ଖେଳିବା ପାଇଁ ଭାରତ ଯାତ୍ରା ନକରିବାକୁ ଧମକ ଦେଇଥିଲା। ଏବେ ନିଜ ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ଉଲ୍ଲେଖନୀୟ ଟି-ସ୍ପୋର୍ଟସ୍ ୨୦୨୭ ପର୍ଯ୍ୟନ୍ତ ବାଂଲାଦେଶରେ ଆଇପିଏଲ ପ୍ରସାରଣ ଅଧିକାର ପାଇଛି।
ବାଂଲାଦେଶର ନ୍ୟାୟ, ଆଇନ ଏବଂ ସଂସଦୀୟ ବ୍ୟାପାର ପରାମର୍ଶଦାତା ଆସିଫ୍ ନଜରୁଲ୍ ଲଗାତାର ଭାରତ ବିରୁଦ୍ଧରେ ବିଷ ଓଗାଳି ଆସୁଛନ୍ତି। ଏବେ ସେ ଏକ ଫେସବୁକ୍ ପୋଷ୍ଟରେ ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଆହ୍ଵାନ କରିଛନ୍ତି।
ବିସିସିଆଇ ଦ୍ଵାରା ଇଣ୍ଡିଆନ୍ ପ୍ରିମିୟର ଲିଗରୁ ମୁସ୍ତାଫିଜୁର ରେହମାନଙ୍କୁ ବହିଷ୍କାର କରାଯିବାର ଜବାବରେ ଆସିଫ୍ ନଜରୁଲ୍ ବାଂଲାଦେଶ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ IPL ମ୍ୟାଚ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛନ୍ତି। ତଥାପି, ବାଂଲାଦେଶ କ୍ରିକେଟ୍ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।
୨୦୨୬ ଟି ୨୦ ବିଶ୍ଵକପ୍ ସୂଚୀ ଅନୁଯାୟୀ, ବାଂଲାଦେଶକୁ ଗ୍ରୁପ୍ C ରେ ରଖାଯାଇଛି, ଯେଉଁଥିରେ ଇଂଲଣ୍ଡ, ଇଟାଲୀ, ନେପାଳ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟ ସାମିଲ୍। ବାଂଲାଦେଶ ଫେବୃଆରୀ ୭ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ବାଂଲାଦେଶ ତାର ବିଶ୍ଵକପର ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇରେ ଖେଳିବ। ବାଂଲାଦେଶ ଟି-୨୦ ବିଶ୍ଵକପ୍ ପାଇଁ ଭାରତ ଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଏହା ଦେଖିବା ବାକି ରହିଲା ଯେ ବାଂଲାଦେଶର ମ୍ୟାଚ୍ ଭାରତରେ ଅନୁଷ୍ଠିତ ହେବ କି ନାହିଁ। ନା କୌଣସି ପରିବର୍ତ୍ତନ କରାଯିବ।
ସୂଚନାଯୋଗ୍ୟ, ଡିସେମ୍ବରରେ ମିନି ନିଲାମ ପରେ ସମସ୍ତ ୧୦ ଫ୍ରାଞ୍ଚାଇଜର ଆଇପିଏଲ୍ ଦଳ ଚୂଡ଼ାନ୍ତ ହୋଇଥିଲା। ମୁସ୍ତାଫିଜୁର ରେହମାନଙ୍କୁ କେକେଆର ୯.୨ କୋଟିରେ କିଣିଥିଲା। କିନ୍ତୁ ବିସିସିଆଇ ନିର୍ଦ୍ଦେଶ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସ ରେହମାନଙ୍କୁ ଦଳରୁ ମୁକ୍ତ କରିଛି।