ନୂଆଦିଲ୍ଲୀ: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଦ୍ୱାରା ଗିରଫଦାରୀ ଏବଂ ସେଠାରେ ଉତ୍ପନ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପରେ ଭାରତ ବୟାନ ଜାରି କରି ଗଭୀର ଚିନ୍ତା ପ୍ରକାଶ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ରବିବାର ସରକାରୀ ବୟାନରେ ସମସ୍ତ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛି । ଭାରତ କହିଛି ଭେନେଜୁଏଲାରେ ଦ୍ରୁତ ଗତିରେ ବଦଳୁଥିବା ସ୍ଥିତି ଉପରେ କଡା ନଜର ରଖିଛି । ଭାରତ ସ୍ପଷ୍ଟ କରିଛି ଯେ, ଏହାର ପ୍ରାଥମିକତା କ୍ଷେତ୍ରର ସ୍ଥିରତା ଏବଂ ସେଠାକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ହେଉ ।
ଭାରତ ଭେନେଜୁଏଲାର ନିକଟ ଘଟଣାକ୍ରମକୁ ନେଇ ଚିନ୍ତା ପ୍ରକଟ କରିଛି । ଭାରତ ସମସ୍ତ ସମ୍ବନ୍ଧିତ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିବାଦୀୟ ପ୍ରସଙ୍ଗର ସମାଧାନ କରିବାକୁ ଅନୁରୋଧ କରିଛି । କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଅତି ଆବଶ୍ୟକ ବୋଲି ଭାରତ କହିଛି । ଭେନେଜୁଏଲାରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ମଧ୍ୟ ଭାରତ ସ୍ଥିତି ସ୍ପଷ୍ଟ କରିଛି ।
କରାକସ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ସମୁଦାୟଙ୍କ ଯୋଗାଯୋଗରେ ରହିଛି । ଭାରତୀୟଙ୍କୁ ଯଥା ସମ୍ଭବ ସହାୟତା ଏବଂ ଗାଇଡ ଲାଇନ ଦେବାକୁ ଦୂତାବାସକୁ ନିର୍ଦ୍ଦେଶ ଦିଆଯାଇଛି । ଭେନେଜୁଏଲାବାସୀଙ୍କ ଶାନ୍ତି ଓ ସୁରକ୍ଷା ପାଇଁ ଭାରତ ନିଜର ସମର୍ଥନ ବ୍ୟକ୍ତ କରିଛି । ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଭାରତ ସମସ୍ତ ପକ୍ଷଙ୍କୁ ଅପିଲ୍ କରିଛି ।
ଏହା ପୂର୍ବରୁ ଶନିବାର ରାତିରେ ଭାରତ ସରକାର ନିଜର ନାଗରିକଙ୍କ ପାଇଁ ଏକ କଡା ମାର୍ଗଦର୍ଶିକା ଜାରି କରିଥିଲା । ଏଥିରେ ଭାରତୀୟଙ୍କୁ ଭେନେଜୁଏଲାରେ ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହ ଭାରତୀୟଙ୍କୁ ନିଜର ଗମନାଗମନକୁ କମ କରିବା ଏବଂ ଅଧିକ ସାବଧାନ ରହିବାକୁ କୁହାଯାଇଥିଲା ।
Also read: ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବ!