ଢାକା/ ନୂଆଦିଲ୍ଲୀ। ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକାଣ୍ଡ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମହମ୍ମଦ ୟୁନୁସ୍ ସରକାରଙ୍କ ଦାବି ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ସୁମନଗଞ୍ଜ ଜିଲ୍ଲାରେ ମୌଳବାଦୀଙ୍କ ଭିଡ଼ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ କରିଛନ୍ତି।
ଭିଡ଼ରେ ଲୋକେ ବୁଧବାର ଦିନ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ହିନ୍ଦୁ ଯୁବକଙ୍କ ବିରୋଧରେ ନିନ୍ଦା ଅଭିଯୋଗ ଆଣି ଏହି ହିଂସା କାଣ୍ଡ ଘଟାଯାଇଥିବା ଉଲ୍ଲେଖ କରାଯାଇଛି। ଉତ୍ତ୍ୟକ୍ତ ଜନତା ୧୦୦ରୁ ଅଧିକ ହିନ୍ଦୁଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଗୃହ ନିର୍ମିତ ଧର୍ମାନୁଷ୍ଠାନଗୁଡ଼ିକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ୨୦୦ରୁ ଅଧିକ ହିନ୍ଦୁ ପରିବାର ସ୍ଥାନାନ୍ତରିତ ହୋଇଛନ୍ତି। ଏହି ଅଭିଯୋଗ ପରେ ପୁଲିସ ସୁମନଗଞ୍ଜ ମଙ୍ଗଳରଗାଁରୁ ଆକାଶ ଦାସ(୨୦)ଙ୍କୁ ଗିରଫ କରିଛି।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କର ପ୍ରଥମ ସାର୍ବଜନୀନ ଅଭିଭାଷଣ ଦେଇ ୟୁନୁସଙ୍କ ସରକାର ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ପ୍ରତି ଜାଣିଶୁଣି ଗଣହତ୍ୟା କରୁଥିବା ଅଭିଯୋଗ କରିଥିଲେ। ୟୁନୁସ ସରକାର ମୋତେ ଓ ଭଉଣୀ ରେହାନାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ବାଂଲାଦେଶର ବିଜୟ ଦିବସ ଅବସରରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ହସିନା କହିଛନ୍ତି ଯେ ସେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବାଂଲାଦେଶ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି, ନିଜ ଜୀବନ ବଞ୍ଚାଇବା ପାଇଁ ନୁହେଁ।
ଆମେରିକୀୟ ସାଂସଦ ବ୍ରାଡ୍ ଶର୍ମାନ୍ ଏକ ବିବୃତ୍ତି ଜାରି କରି ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ହିନ୍ଦୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ଏବଂ ନିକଟରେ ହୋଇଥିବା ଆକ୍ରମଣ ଏବଂ ଅତ୍ୟାଚାରକୁ ନେଇ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଚାଲିଥିବା ପ୍ରତିବାଦର ସମାଧାନ କରିବାକୁ କହିଛନ୍ତି।
ଅଧିକ ପଢ଼ନ୍ତୁ: ମୋଦୀ ଓ 'ମେକ୍ ଇନ୍ ଇଣ୍ଡିଆ'କୁ ରୁଷ୍ର ପ୍ରଶଂସା