ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ପୁଟିନ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାରତକୁ ତେଲ ଯୋଗାଣ ଜାରି ରହିବ । ପୁଟିନଙ୍କ ଏହି ବୟାନ ନିଶ୍ଚିତ ରୂପେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଝଟକା ସଦୃଶ । କାରଣ ଭାରତ ରୁଷଠୁ ତେଲ କିଣିବା ବନ୍ଦ କରି ଦେବ ବୋଲି ଟ୍ରମ୍ପ କହି ଚାଲିଥିଲେ । ଏପରିକି ରୁଷ ତୈଳ କ୍ରୟ ନେଇ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇ ସାରିଛି । ନିଜ ବୟାନରେ ପୁଟିନ ଆତିଥ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ପୁଟିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ରୁଷ ତୈଳ, ଗ୍ୟାସ, କୋଇଲା ଓ ଭାରତର ଶକ୍ତି ବିକାଶ ପାଇଁ ସବୁ ପ୍ରକାରର ସହଯୋଗ କରୁଛି ଏବଂ ଆଗକୁ ଏହା ଜାରି ରହିବ । ଦ୍ରୁତ ଗତିରେ ଆଗକୁ ବଢୁଥିବା ଭାରତୀୟ ଅର୍ଥନିୀତ ପାଇଁ ବିନା କୌଣସି ବାଧାରେ ନିରବଚ୍ଛିନ୍ନ ଭାବେ ଇନ୍ଧନ ଯୋଗାଣ ଜାରି ରହିବ । ଆମେ ଶକ୍ତି କ୍ଷେତ୍ରରେ ସହଯୋଗ ବଢାଇବା ଉପରେ ବିଚାର କରୁଛୁ । ଜାତିସଂଘରେ ଲିପିବଦ୍ଧ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତିକୁ ସୁରକ୍ଷା ଦେଉଛୁ ।
ପୁଟିନ କହିଛନ୍ତି ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡକୁ ଅଗ୍ରସର ହେଉଛନ୍ତି ଦୁଇ ଦେଶ । ଆମେ ଭାରତ ସହ ମିଶି ଏକ ନୂଆ ଅନ୍ତର୍ଜାତୀୟ ପରିବହନ ମାର୍ଗ ନିର୍ମାଣ ଉପରେ କାମ କରୁଛୁ । ଏଥିରେ ରୁଷଠୁ ଭାରତ ମହାସାଗର ଉପକୂଳ ପର୍ଯ୍ୟନ୍ତ ଉତ୍ତର-ଦକ୍ଷିଣ ପରିବହନ ପ୍ରକଳ୍ପ ସାମିଲ୍ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ନେଣଦେଣ ବର୍ତ୍ତମାନ ୯୬ ପ୍ରତିଶତ ହୋଇ ସାରିଛି । ଗତ ବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୧୨ ପ୍ରତିିଶତ ବୃଦ୍ଧି ପାଇ ନୂଆ ରେକର୍ଡ କରିଛି । ଏହା ପ୍ରାୟ ୬୪ ବିଲିୟନ ଆମେରିକୀୟ ଡଲାର ହେବ । ଚଳିତ ବର୍ଷ ମଧ୍ୟ ଫଳାଫଳ ଏହି ସ୍ତରରେ ରହିବା ନେଇ ଆଶାବାଦୀ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି । ବୁଝମଣାରେ ଆମେ ୧୦୦ ବିଲିୟନ ଡଲାର ଲକ୍ଷ୍ୟ ଛୁଇଁବାକୁ ସମର୍ଥ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ବିଭିନ୍ନ ପ୍ରସଙ୍ଗରେ ଏକ ଲମ୍ବା ତାଲିକା ଦେଇଛନ୍ତି । ଏହା ଉପରେ ଆମ ସରକାର ବହୁତ ଧ୍ୟାନ ଦେଉଛନ୍ତି ଏବଂ ଏହା କାର୍ଯ୍ୟରେ ମଧ୍ୟ ପରିଣତ କରିବୁ । ସଂପ୍ରତି ଭାରତର ସବୁଠୁ ବଡ ପରିମାଣ କେନ୍ଦ୍ର ନିର୍ମାଣ ଉପରେ କାମ କରୁଛୁ । ୬ଟି ରିଆକ୍ଟରରୁ ୩ଟି ପୂର୍ବରୁ ବିଦ୍ୟୁତ ଗ୍ରୀଡ ସଂଯୋଗ ହୋଇ ସାରିଛି । ଦୁଇ ଦେଶ ଏକତ୍ର ସ୍ୱାଧୀନ ଓ ଆତ୍ମନିର୍ଭରଶୀଳ ବୈଦେଶିକ ନୀତି ପାଳନ କରୁଛୁ । ସମାନ ଚିନ୍ତାଧାରା ଥିବା ଦେଶମାନଙ୍କ ସହିତ ଏହି ନୀତି ଆଗେଇ ନେଇ ଯାଉଛୁ ।
ପୁଟିନ କହିଛନ୍ତି ବ୍ରିକ୍ସ ପ୍ରତିଷ୍ଠାତା ଦେଶ ଭାବେ ସଂଗଠନର ପ୍ରତିପତ୍ତି ପାଇଁ କାମ କରୁଛୁ । ଆସନ୍ତା ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିବ । ଭାରତୀୟ ବନ୍ଧୁମାନଙ୍କୁ ସବୁ ପ୍ରକାରର ଆବଶ୍ୟକ ସହଯୋଗ ଯୋଗାଇ ଦେବୁ । ଭାରତୀୟ ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ୫୦ ବର୍ଷ ହେଲା ଚାଲିଛି । ପ୍ରତିରକ୍ଷା କ୍ଷେତ୍ରରେ ରୁଷ-ଭାରତ ମଧ୍ୟରେ ଭାଗିଦାରୀ ଆହୁରି ମଜବୁତ ହେବ ।
Also read: ଭାରତ-ରୁଷ ସମ୍ପର୍କ ଧ୍ରୁବ ତାରା ସଦୃଶ, ଆତଙ୍କବାଦ ଉପରେ ହେବ ପ୍ରହାର, ଜାରି ରହିବ ତୈଳ ପରିବହନ