ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବଡ଼ଧରଣର ଘୋଷଣା କରିବାକୁ ଯାଉଛନ୍ତି। ବିନା ପ୍ରମାଣପତ୍ରରେ ରହୁଥିବା ଆମେରିକାର ନାଗରିକଙ୍କ ପାର୍ଟନରଙ୍କୁ ଆମେରିକାର ନାଗରିକତା ମିଳିବା ସହଜ ହୋଇଯିବ। ଏହା ଦ୍ବାରା ଆମେରିକାରେ ବସବାସ କରୁଥିବା ଲକ୍ଷାଧିକ ଭାରତୀୟଙ୍କୁ ଲାଭ ହୋଇପାରେ ବୋଲି ଆଶା କରାଯାଉଛି।
ଆମେରିକାର ଏକ ପ୍ରତିଷ୍ଠିତ ଖବରକାଗଜର ରିପୋର୍ଟ ଅନୁସାରେ ଏହି ସୁରକ୍ଷିତ କାର୍ଯ୍ୟକ୍ରମ ସେହି ଅପ୍ରବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଆମେରିକାରେ ବେଆଇନ୍ ଭାବେ ବସବାସ କରୁଛନ୍ତି। କିନ୍ତୁ ସେମାନେ ଆମେରିକୀୟ ନାଗରିକଙ୍କୁ ବିବାହ କରିଛନ୍ତି। ଏଥି ପାଇଁ ୱାର୍କିଂ ପରମିଟ ଓ ନାଗରିକତା ହାସଲ କରିବା ଅଧିକ ସହଜ ହେବ। ରିପୋର୍ଟ ଅନୁସାରେ ପେରୋଲ ଇନ୍ ପ୍ଲେସ ନାମରେ ଏହି କାର୍ଯ୍ୟକ୍ରମ ଦ୍ବାରା ୫ ଲକ୍ଷରୁ ଅଧିକ ଅପ୍ରବାସୀ ଉପକୃତ ହେବେ।
ଏହି କାର୍ଯ୍ୟକ୍ରମ ଅଧୀନରେ ଅପ୍ରବାସୀଙ୍କୁ ଗ୍ରୀନ କାର୍ଡ ଓ ଆମେରିକୀୟ ନାଗରିକତା ହାସଲ କରିବାର ପ୍ରକ୍ରିୟାରେ ସହଜ ହେବ। ବିନା ପ୍ରମାଣପତ୍ରରେ ରହୁଥିବା ପତି ବା ପତ୍ନୀଙ୍କୁ ଭିନ୍ନଭିନ୍ନ ମାମଲାର ଆଧାରରେ ୱାର୍କ ପରମିଟ ହାସଲ କରିବାର ଅନୁମତି ମଧ୍ୟ ମିଳିବ। ମାତ୍ର ଏଥି ପାଇଁ କିଛି ସର୍ତ୍ତ ରହିଛି। ନାଗରିକତା ସେହି ଅପ୍ରବାସୀଙ୍କୁ ଦିଆଯିବ, ଯେଉଁମାନେ ଆମେରିକୀୟ ନାଗରିକଙ୍କୁ ବିବାହ କରିବା ପରେ ଅତିକମରେ ୧୦ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ଯେଉଁ ପିଲାମାନଙ୍କର ମା-ବାପା ଆମେରିକୀୟନାଗରିକଙ୍କୁ ବିବାହ କରିଛନ୍ତି, ସେମାନେ ମଧ୍ୟ ସହଜରେ ଗ୍ରୀନ କାର୍ଡ ଅଥବା ଆମେରିକୀୟ ନାଗରିକତା ହାସଲ କରିପାରିବେ।