ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଟାରିଫକୁ ନେଇ ଚାଲି ଆସିଥିବା ଲଢେଇ ମଧ୍ୟରେ ମଙ୍ଗଳବାର ଡ୍ରାଗନ ଉପରେ ଟାରିଫ ବୋମା ଫୁଟାଇଛି ଆମେରିକା । ଚୀନ ଉତ୍ପାଦ ଉପରେ ୧୦୪ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଘୋଷଣା କରିଛି ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦିଆଯାଇଛି ।
ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ଏହି ନିଷ୍ପତ୍ତି ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଚେତାବନୀ ଦେଇଥିଲ ଯେ, ଯଦି ଚୀନ ଆମେରିକା ଉପରେ ଲଗାଇଥିବା ଶୁଳ୍କ ପ୍ରତ୍ୟାହାର ନ କରେ ତେବେ ଆମେରିକା ଚୀନ ଉତ୍ପାଦ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ ଲଗାଇବ ।
ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୁକ୍ତି ଦିବସର ଘୋଷଣା କରି ଚୀନ ସମେତ ଦୁନିଆର ଅନେକ ବଡ ବଡ ଦେଶ ଉପରେ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ । ଟ୍ରମ୍ପ ଚୀନ ଉପରେ ଅତିରିକ୍ତ ୩୪ ପ୍ରତିଶତ ଟାରିଫ ଲଗାଇଥିଲା । ଏହା ପରେ ଆମେରିକାରେ ଚାଇନା ଉତ୍ପାଦ ଉପରେ ମୋଟ୍ ଶୁଳ୍କ ୫୪ ପ୍ରତିଶତରେ ପହଞ୍ଚିଥିଲା । ଅନ୍ୟପଟେ ଚୀନ ମଧ୍ୟ ପ୍ରତିଜବାବରେ ଆମେରିକା ଉପରେ ଟାରିଫ ଲଗାଇବାକୁ ଘୋଷଣା କରିଥିଲା । ଚୀନ ଆମେରିକାରୁ ରପ୍ତାନୀ ହେଉଥିବା ଉତ୍ପାଦ ଉପରେ ୩୪ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲା ।
ଏହା ଦେଖି ଟ୍ରମ୍ପଙ୍କ କ୍ରୋଧ ଚରମରେ ପହଞ୍ଚିଥିଲା । ଗତ ସୋମବାର ଟ୍ରମ୍ପ ଚୀନକୁ ଏହି ଟାରିଫ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ଚୀନ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଥିଲା । ଆଉ ଡେଡଲାଇନ ସରିବା ପରେ ଆମେରିକା ଚୀନ ଉପରେ ୧୦୪ ପ୍ରତିଶତ ଉତ୍ପାଦ ଶୁଳ୍କ ଲଗାଇବାକୁ ଘୋଷଣା କରିଛି । ଏଥିରେ ଟାରିଫ ୱାର ଆହୁରି ଘନୀଭୁତ ହୋଇଛି ।