ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପାଇଁ ଉଡ଼ାଣ ଭରିବାକୁ ଥିବା Axiom-4 ମିଶନକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମହାକାଶ ମିଶନ ପାଇଁ ଉଡ଼ାଣ କରିବାର କାର୍ଯ୍ୟକ୍ରମ ଥିଲା। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏକ୍ସ ହ୍ୟାଣ୍ଡେଲରୁ ପୋଷ୍ଟ କରି ଏହି ସୂଚନା ଦେଇଛି। ଇସ୍ରୋ ଅନୁଯାୟୀ, ଉତକ୍ଷେପଣ ତାରିଖ ଜୁନ୍ ୧୦ ବଦଳରେ ଜୁନ ୧୧ ସନ୍ଧ୍ୟା ୫ଟା ୩୦ ସ୍ଥିର କରାଯାଇଛି।
ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ଯିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ଶୁଭାଂଶୁ ଶୁକ୍ଳାଙ୍କ ଏହି ଯାତ୍ରା ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ମହାକାଶକୁ ଯାତ୍ରାର ଚାରି ଦଶନ୍ଧି ପରେ ହେଉଛି। ରାକେଶ ଶର୍ମା ରୁଷିଆର ସୋୟୁଜ୍ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଘୋଷଣା କରିଥିଲେ ଯେ ଭାରତର ପୁଅ କିମ୍ବା ଝିଅ ବହୁତ ଶୀଘ୍ର ମହାକାଶକୁ ଯିବେ। ଏହା ପରେ ୨୦୧୯ରେ ଶୁକ୍ଳାଙ୍କୁ ଇସ୍ରୋର ମହାକାଶଚାରୀ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା।
ଆମେରିକୀୟ ମହାକାଶ ସଂସ୍ଥା ନାସା ଏବଂ ଭାରତର ISROର ଏକ ମିଳିତ ପ୍ରୟାସରେ ଆକ୍ସିଅମ୍ ମିଶନ୍ ଲଞ୍ଚ ହେବାକୁ ୍ାଉଛି । ଆକ୍ସିଅମ୍-୪ ମିଶନର କ୍ରୁ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ଏଠାରେ ସେମାନେ ପ୍ରୟୋଗଶାଳାର ପରିକ୍ରମା ସହିତ ବିଜ୍ଞାନ, ପ୍ରସାର ଏବଂ ଗବେଷଣା ପ୍ରୟୋଗ ଉପରେ ଧ୍ୟାନ ଦେବେ। ଶୁଭାଂଶୁ ଶୁକ୍ଳାଙ୍କୁ ୨୦୨୫ ଜାନୁଆରୀରେ ନାସା ଏବଂ ଇସ୍ରୋର X-4 ମିଶନ୍ ପାଇଁ ପାଇଲଟ୍ ଭାବରେ ମନୋନୀତ କରାଯାଇଥିଲା।
ଶୁଭାଂଶୁ ଶୁକ୍ଳା ସ୍ପେସ ଏକ୍ସର ଫାଲକନ ଫାଲକନ-୯ ରକେଟ୍ରେ ଉଡ଼ାଣ ଭରିବେ। ଏହା ଆମେରିକାର ଫ୍ଲୋରିଡ଼ା ସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ପ୍ରକ୍ଷେପିତ କରାଯିବ। ଏହି ମିଶନରେ ତାଙ୍କ ସହ ପେଗି ହ୍ଵିଟସନ(କମାଣ୍ଡର, ଆମେରିକା), ଟିଗୋର କାପୁ(ହଙ୍ଗେରୀ) ଓ ସ୍ଲାଭୋତ୍ସ ଉଜନାସ୍କି ଭିସ୍ନିଏଭସ୍କି(ପୋଲାଣ୍ଡ) ଯାତ୍ରା କରିବେ। Axiom-4 ମିଶନରେ ଏହି ଦଳ ୧୪ ଦିନ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ରହିବେ। ସେଠାରେ ସେ କେବଳ ବିଜ୍ଞାନ ସଂପର୍କିତ ଅନେକ ପ୍ରୟୋଗ କରିବେ ନାହିଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍କୁଲ ଛାତ୍ର-ଛାତ୍ରୀ ଓ ସ୍ପେସ ଇଣ୍ଡଷ୍ଟ୍ରୀର ବିଶେଷଜ୍ଞଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହେବେ।