ମିଳିତ ଜାତିସଂଘ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଜାତିସଂଘ ଅତୀତର ବନ୍ଦୀ ହୋଇ ରହିପାରିବ ନାହିଁ ଏବଂ ଗ୍ଲୋବାଲ ସାଉଥର ଦେଶଗୁଡିକୁ ଅଣଦେଖା କରାଯାଇପାରିବ ନାହିଁ। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ବର୍ଗରେ ଏହି ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଏବେ ବାଧ୍ୟତାମୂଳକ ହୋଇଛି।
ଜି-୨୦, ବ୍ରାଜିଲ ୨୦୨୪ର ବୈଦେଶିକ ମନ୍ତ୍ରୀଙ୍କ ଦ୍ବିତୀୟ ବୈଠକରେ ଯୋଗଦେଇ ଜୟଶଙ୍କର କହିଛନ୍ତି, ବିଶ୍ୱ ଏକ ସ୍ମାର୍ଟ, ପରସ୍ପର ସହ ଜଡ଼ିତ ଏବଂ ବହୁଧ୍ରୁବୀ ଅଞ୍ଚଳରେ ପରିଣତ ହୋଇଛି ଏବଂ ଜାତିସଂଘ ଗଠନ ପରଠାରୁ ଏହାର ସଦସ୍ୟଙ୍କ ସଂଖ୍ୟା ଚାରିଗୁଣ ବୃଦ୍ଧି ପାଇଛି। ତଥାପି ଜାତିସଂଘ ଅତୀତର ବନ୍ଦୀ ହୋଇ ରହିଛି। ଫଳରେ ଜାତିସଂଘ ନିରାପତ୍ତା ପରିଷଦ ଅନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ସଂଘର୍ଷ କରୁଛି ଏବଂ ଏହାର ପ୍ରଭାବ ଓ ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଛି।
ଜୟଶଙ୍କର କହିଛନ୍ତି ଯେ ନିରାପତ୍ତା ପରିଷଦର ଉଭୟ ବର୍ଗ (ସ୍ଥାୟୀ ଏବଂ ଅସ୍ଥାୟୀ)ର ସମ୍ପ୍ରସାରଣ ସମେତ ସଂସ୍କାର ନ ହେଲେ ୧୫ ରାଷ୍ଟ୍ର ବିଶିଷ୍ଟ ଏହି ସଂସ୍ଥାର ଫଳପ୍ରଦତା ରହିବ ନାହିଁ। ଏସିଆ, ଆଫ୍ରିକା ଓ ଲାଟିନ ଆମେରିକା ଅର୍ଥାତ୍ ଗ୍ଲୋବାଲ ସାଉଥକୁ କ୍ରମାଗତ ଭାବେ ଅଣଦେଖା କରାଯାଇପାରିବ ନାହିଁ। ବାସ୍ତବ ପରିବର୍ତ୍ତନ ଆବଶ୍ୟକ ଏବଂ ଏହାକୁ ତ୍ୱରାନ୍ୱିତ କରିବା ର ଆବଶ୍ୟକତା ରହିଛି।
ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏକ ନିୟମ ଭିତ୍ତିକ, ଭେଦଭାବ ବିହୀନ, ନିରପେକ୍ଷ, ଖୋଲା, ଅନ୍ତର୍ଭୁକ୍ତ, ସମାନ ଏବଂ ସ୍ୱଚ୍ଛ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତାରେ ଅଟଳ ରହିଛି। ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରୁଥିବା ନୀତିକୁ ଭାରତ ଦୃଢ଼ ସମର୍ଥନ କରେ, ଯାହା ପ୍ରତ୍ୟେକ ଦେଶକୁ ଏକ ପରସ୍ପର ସହ ଜଡ଼ିତ ଏବଂ ଗତିଶୀଳ ବିଶ୍ୱରେ ବିକଶିତ କରିବାରେ ସକ୍ଷମ କରିବ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ମହାରାଷ୍ଟ୍ର ଜଳମଗ୍ନ