ଦୋଷୀ ସାବ୍ୟସ୍ତ ହେଲେ ବାଂଲାଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ନରସଂହାର ମାମଲାରେ ବାଂଲାଦେଶ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନବତା ବିରୋଧୀ ଅପରାଧ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ରାୟ ଆସିଛି। ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ଶେଖ୍ ହାସିନାଙ୍କ ନାଁରେ ମାମଲା ହୋଇଥିଲା। କୋର୍ଟ ଜୁଲାଇ ବିଦ୍ରୋହ ପାଇଁ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଦେଇଛନ୍ତି।
ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ ଙ୍କ ରାୟ ପୂର୍ବରୁ ଦେଶରେ ଜାରି ହୋଇଛି ହାଇଆଲର୍ଟ । ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ ହେଉଛି । ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବାଂଲାଦେଶୀ ଗଣମାଧ୍ୟମ ପ୍ରଥମ ଆଲୋ ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହାସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ। ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା ।କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି ।
ରାୟର ଗୋଟିଏ ଦିନ ପୂର୍ବରୁ, ହସିନାଙ୍କ ଦଳ, ଆୱାମୀ ଲିଗ୍, ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରିଛି। ଏହି ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗ୍ର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।