ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ। ପାକିସ୍ତାନ ପ୍ରଥମେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ବର୍ଷିଲା ଭାରତ। ଗତକାଲି ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକର ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି । ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଟାର୍ଗେଟ କଲା ଭାରତ। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନର ପଦକ୍ଷେପ ଜରୁରୀ, ପ୍ରଥମେ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କରୁ କହି ଭାରତର କଟାକ୍ଷ।
ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଗତକାଲି ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ୍ କାକର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କାଶ୍ମୀର ଉପରେ ଏକ ସଂକଳ୍ପ ପାରିତ କରିବାକୁ ଏବଂ ସେଠାରେ ସାମରିକ ହସ୍ତକ୍ଷେପ ପାଇଁ ଜାତିସଙ୍ଘରେ ଦାବି କରିଥିଲେ। ଯାହାର ଆଜି କଡା ଜବାବ ଦେଇଛି ଭାରତ। କାକର କାଶ୍ମୀରକୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଶାନ୍ତିର ଚାବିକାଠି ବୋଲି କହିଥିଲେ | ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ପେଟାଲ୍ ଗେହଲଟ୍ କହିଛନ୍ତି ଯେ ଏହି ଫୋରମ୍କୁ ଭାରତ ବିରୁଦ୍ଧରେ ଭିତ୍ତିହୀନ ତଥା ମନ୍ଦ ପ୍ରଚାର ପ୍ରସାର କରିବା ପାଇଁ ପାକିସ୍ତାନ ଏକ ଅଭ୍ୟାସଗତ ଅପରାଧୀ ହୋଇପାରିଛି। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ସଂଗଠନ ଭଲଭାବେ ଜାଣିଛନ୍ତି ଯେ ମାନବିକ ଅଧିକାର ଉପରେ ନିଜର ଅବ୍ୟବହୃତ ରେକର୍ଡରୁ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ଏପରି କରୁଛି। ମିଳିତ ଜାତିସଂଘରେ ଗେହଲଟ୍ ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ | ପାକିସ୍ତାନକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରକୁ ଅନୁଧ୍ୟାନ କରିବା ପୂର୍ବରୁ ପ୍ରଥମେ ନିଜ ଦେଶରେ ମାନବିକ ଅଧିକାରର ଉଲ୍ଲଂଘନକୁ ଦେଖିବା ଉଚିତ୍ ଏବଂ ଏହାକୁ ତୁରନ୍ତ ବନ୍ଦ କରୁ ବୋଲି ପେଟାଲ କହିଛନ୍ତି।
ଅଧିକ ପଢ଼ନ୍ତୁ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବାୟୁସେନାରେ ସାମିଲ ହେବ ‘ନେତ୍ର-୧’
ପାକିସ୍ତାନକୁ ଦର୍ପଣ ଦେଖାଇ ପେଟାଲ ଗେହଲଟ୍ ଆହୁରି କହିଛନ୍ତି, ମୁମ୍ବାଇ ଆକ୍ରମଣର ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। କାରଣ ଘଟଣାର ୧୫ ବର୍ଷ ପରେ ବି ପୀଡ଼ିତମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି। ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନର ପାକିସ୍ତାନ ହେଉଛି ଏକ ଗଡ଼। ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଏକ ସୁରକ୍ଷିତ ସ୍ଥାନ କହି ପାକିସ୍ତାନକୁ କଟାକ୍ଷ କରିଛନ୍ତି ପେଟାଲ। ସେ ଆହୁରି କହିଛନ୍ତି, ବିଶ୍ୱର ବୃହତ୍ତମ ଗଣତନ୍ତ୍ର(ଭାରତ) ଉପରେ କାହାରି ଆଙ୍ଗୁଠି ଉଠାଇବାର ଅଧିକାର ନାହିଁ। ଫୋରମର ଅପବ୍ୟବହାର କରି ପାକିସ୍ତାନ ଭାରତ ବିରୁଦ୍ଧରେ ଭିତ୍ତିହୀନ ଏବଂ ମିଥ୍ୟା ଅଭିଯୋଗ ଆଣି ଅପଦସ୍ତ ହେବାରେ ଅଭ୍ୟସ୍ତ ହୋଇଗଲାଣି। ସେ କହିଛନ୍ତି ଯେ, ପାକିସ୍ତାନର ମାନବିକ ଅଧିକାର ରେକର୍ଡ ଦୁନିଆରେ ସବୁଠାରୁ ଖରାପ, ବିଶେଷକରି ସଂଖ୍ୟାଲଘୁ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲାରେ। ପାକିସ୍ତାନ ପ୍ରଥମେ ଆଭ୍ୟନ୍ତରୀଣ ସ୍ଥିତିରେ ଉନ୍ନତି ଆଣୁ। ସୂଚନା ଥାଉ କି, ଗତ ଫେବୃଆରୀ ୧୪, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ଯେଉଁଥିରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀ ପ୍ରାଣ ହରାଇଥିଲେ। ପାକିସ୍ତାନର ଖାଇବର-ପାଖ୍ଟନଖୱାଠାରେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ଭାରତ ଏହାର ଜବାବ ଦେଇଛି। ସେହିବର୍ଷ ଠିକ ଛଅ ମାସ ପରେ, ଭାରତ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ପ୍ରତ୍ୟାହାର କରି ଧାରା ୩୭୦କୁ ରଦ୍ଦ କରିଥିଲା। ଧାରା ୩୭୦କୁ ହଟାଇବା ପରେ ପୂର୍ବ ରାଜ୍ୟ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଦୁଇଟି ଅଞ୍ଚଳରେ ବିଭକ୍ତ ହୋଇଥିଲା।