ନୂଆଦିଲ୍ଲୀ: ରୁଷ ଶୁକ୍ରବାର ମିଥ୍ୟା ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ରୁଷ ଖାରଜ କରିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ରୁଷ ପାକିସ୍ତାନ ସହ ଆର୍ଥିକ ସମ୍ବନ୍ଧକୁ ଆଗକୁ ବଢାଉଛି। ନିକଟରେ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ମସ୍କୋ ଓ ଇସଲାମାବାଦ ମିଶି ଅଦୌଗିକି ସହଯୋଗ ବଢାଇବା ଉପରେ କାମ କରୁଛନ୍ତି।
ଉକ୍ତ ରିପୋର୍ଟ ଆଧାରରେ ପାକିସ୍ତାନରେ ନୂତନ ଇସ୍ପାତ କାରଖାନା ସ୍ଥାପନ କରାଯିବ। ଯଦ୍ଵାରା ୧୯୭୦ ଦଶନ୍ଧି ପରି ସହଯୋଗ ପୁଣି ଥରେ ଜୀବିତ କରା୍ଯାଇ ପାରିବ। ଏହା ଉପରେ ବିଚାର କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟକ ହାରୁନ ଅଖତର ଖାନ ଓ ମସ୍କୋର ପ୍ରତିନିଧି ଡେନିସ ଡେନିସ ନଜରୁକଙ୍କ ମଧ୍ୟରେ ମେ ୧୩ରେ ଇସଲାମାବାଦରେ ବୈଠକ ହୋଇଥିଲା।
ପାକିସ୍ତାନର ଅର୍ଥନୀତି IMF ଦ୍ୱାରା ପ୍ରଦାନ କରାଯାଇଥିବା ରିଲିଫ୍ ପ୍ୟାକେଜ୍ ଉପରେ ନିର୍ଭରଶୀଳ ହୋଇଥିବାରୁ ଏମିତି ରିପୋର୍ଟ ପ୍ରକାଶ ପାଇବା ସଭିଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ମସ୍କୋ ଏହି ପ୍ରସଙ୍ଗରେ ଆଲୋଚନାକୁ ସ୍ୱୀକାର କରିଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ବହୁବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଦାବି କରୁଥିବା ରିପୋର୍ଟକୁ ଖାରଜ କରିଛି ମସ୍କୋ।
ସେ କହିଛି ଯେ କପୋଳକଳ୍ପିତ ରିପୋର୍ଟ ମାଧ୍ୟମରେ, ପାକିସ୍ତାନ ଭାରତ-ରୁଷ ସ୍ୱତନ୍ତ୍ର ଏବଂ ରଣନୈତିକ ସହଭାଗୀତାକୁ କ୍ଷତି ପହଞ୍ଚାଇବା ପାଇଁ ଆଉ ଏକ ବିଫଳ ପ୍ରୟାସ କରିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ବିଷୟରେ ପଚରାଯିବାରୁ, ଜଣେ ବରିଷ୍ଠ ରୁଷ ଅଧିକାରୀ କହିଛନ୍ତି ଯେ ଏହା ଏକ ଅତିରଞ୍ଜିତ ଖବର, ଯାହାକୁ କେହି ଜଣେ ରୁଷ-ଭାରତ ସମ୍ପର୍କକୁ ନଷ୍ଟ କରିବା ପାଇଁ ପ୍ରସାର କରୁଛନ୍ତି।