ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ ସହ ନିଜର ଗସ୍ତ ଶେଷ କରିଛନ୍ତି। ସେ ଇଟାଲିରେ ବ୍ରିଟେନ୍ର ତାଙ୍କର ସମକକ୍ଷ ଋଷି ସୁନକ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଓ ପୋପ୍ ଫ୍ରାନ୍ସିସଙ୍କ ସମେତ ଆହୁରି ଅନେକ ବିଶ୍ବସ୍ତରୀୟ ନେତାଙ୍କୁ ଭେଟି କିଛି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ସାହପୂର୍ଣ୍ଣ ଆତିଥ୍ୟ ପାଇଁ ଇଟାଲିକୁ ଧନ୍ୟବାଦ କହିବାକୁ ଭୁଲି ନାହାନ୍ତି।
ଭାରତ ଫେରିବା ଅବସରରେ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଆପୁଲିଆରେ ଜି-୭ ସମ୍ମିଳନୀ ବହୁତ ଭଲ ଦିନ ଥିଲା। ବିଭିନ୍ନ ପ୍ରସଙ୍ଗରେ ବିଶ୍ବସ୍ତରୀୟ ନେତାଙ୍କ ସହିତ ଆଲୋଚନା କରିଛି। ଇଟାଲିର ଲୋକ ଓ ସରକାରଙ୍କୁ ଉତ୍ସାହପୂର୍ଣ୍ଣ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି, ମିଳିମିଶି କାମ କରିବା ଆମର ଲକ୍ଷ୍ୟ। ଏହା ଦ୍ବାରା ବିଶ୍ବର ସମସ୍ତ ଜନତାଙ୍କୁ ଲାଭ ମିଳିବ। ଆଗାମୀ ପିଢ଼ି ପାଇଁ ଏହା ମଧ୍ୟ ଭଲ ହେବ।
ଅନ୍ୟପଟରେ ବିଦେଶ ମନ୍ତ୍ରାଳୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଟାଲି ଗସ୍ତ ଶେଷ ହୋଇଛି। ସେ ଇଟାଲିରୁ ଭାରତ ଅଭିମୁଖେ ବାହାରିଛନ୍ତି। ଏହି ଯାତ୍ରା କାଳରେ ସେ ଜି-୭ର ନେତାଙ୍କୁ ଭେଟିଛନ୍ତି। ବିକାଶ ପ୍ରସଙ୍ଗରେ ବିଶ୍ବସ୍ତରୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି।