ନୂଆଦିଲ୍ଲୀ: ୟମନରେ ନିମିଷା ପ୍ରିୟାଙ୍କୁ ବଞ୍ଚାଇବା ପାଇଁ ପୁଣି ଥରେ ଉଦ୍ୟମ ଜୋରଦାର ଚାଲିଛି । ଜୁଲାଇ ୧୬ରେ ନିମିଷାଙ୍କୁ ଫାଶି ଦଣ୍ଡ ଦିଆଯିବ ବୋଲି କୋର୍ଟ ପୂର୍ବରୁ ରାୟ ଦେଇ ସାରିଛନ୍ତି । ଏହାର କିଛି ଘଣ୍ଟା ପୂର୍ବରୁ ପୁଣି ଥରେ ନିମିଷାଙ୍କ ଜୀବନ ବଞ୍ଚିବାର ଆଶାର କିରଣ ପୁଣି ଥରେ ଜାଗି ଉଠିଛି । ଭାରତର ଜଣେ ମୁଫତି ତଥା ସୁନ୍ନି ମୁସଲିମ ସମାଜର ନେତା ଏପି ଅବୁ ବକର ମୁସଲିୟାର ମାମଲାରେ ହସ୍ତକ୍ଷେପ କରିଛନ୍ତି ।
ସେ ୟମନ ସରକାରଙ୍କୁ ନିମିଷା ପ୍ରିୟାଙ୍କୁ କ୍ଷମା କରିବାକୁ ଅପିଲ୍ କରିଛନ୍ତି । ଏହା ସହିତ ମୃତକ ତଲାଲ ଅବଦୋ ମେହଦିଙ୍କ ପରିବାର ସହ ମଧ୍ୟ ଯୋଗାଯୋଗ କରିଛନ୍ତି । ୟମନରେ ଏହାକୁ ନେଇ ଆଜି ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ନିମିଷାଙ୍କ ଓକିଲ ସୁଭାଷ ଚନ୍ଦ୍ରନ ରହିବେ । ଏହା ସହିତ ତଲାଲ ଅବଦୋ ମେହଦିଙ୍କ ପରିବାର ଓ ହୁଡେଦା ରାଜ୍ୟ କୋର୍ଟର ମୁଖ୍ୟ ବିଚାରପତି, ୟମନ ଶୁରା କାଉନସିଲର ସଦସ୍ୟ ଶେଖ ହବିବ ଉମର ବୈଠକରେ ଉପସ୍ଥିତ ରହିବେ ।
ଉୁସଲିୟାର ନିଜର ୟମନ ବନ୍ଧୁ ତଥା ପ୍ରସିଦ୍ଧ ସ୍କଲାର ଶେଖ ହବିବ ଉମରଙ୍କ ଜରିଆରେ ମାମଲାରେ ଦଖଲ ଦେବାକୁ ଉଦ୍ୟମ କରିଛନ୍ତି । ହବିବ ଉମରଙ୍କ ଅନୁରୋଧ କ୍ରମେ ତଲାଲ ଅବଦୋ ମେହଦିଙ୍କ ପରିବାର ଓ ହୁଡେଦା ରାଜ୍ୟ କୋର୍ଟର ମୁଖ୍ୟ ବିଚାରପତି ୟମନର ଦମାର ପହଞ୍ଚିଛନ୍ତି । ଏଠାରେ ମାମଲାକୁ ନେଇ ଆଲୋଚନା ହେବ । ୟମନର ଶୁରା କାଉନସିଲରେ ଶେଖ ହବିବ ଉମର ସଦସ୍ୟ ଭାବେ ବୈଠକରେ ଯୋଗ ଦେବେ । ତାଙ୍କର ୟମନର ରାଜନୀତିରେ ମଧ୍ୟ କିଛିଟା ପ୍ରଭାବ ରହିଛି । କୁହାଯାଉଛି ହବିବ ଉମରଙ୍କ ହସ୍ତକ୍ଷେପ ପରେ ପୀଡିତ ତଲାଲଙ୍କ ପରିବାର ଏବେ ନିଜର ଦାବି ଉପରେ ପୁନଃବିଚାର କରିବାକୁ ପ୍ରସ୍ତୁତ ହୋଇଛନ୍ତି ।
ଉଲ୍ଲେଖନୀୟ ନିମିଷା ପ୍ରିୟାଙ୍କୁ ବଞ୍ଚାଇବା ପାଇଁ ତଲାଲଙ୍କ ପରିବାରକୁ ବ୍ଲଡ ମନିର ଅଫର ଦିଆଯାଇଥିଲା, ଯାହାକୁ ପରିବାର ଲୋକ ଅଗ୍ରାହ୍ୟ କରି ଦେଇଥିଲେ । ଏଥିରେ ନିମିଷା ପ୍ରିୟାଙ୍କ ବଞ୍ଚିବାର ସବୁ ଆଶା ମଉଳି ଯାଇଥିଲା । କିନ୍ତୁ ଏବେ ପୁଣି ଥରେ ତଲାଲଙ୍କ ପରିବାର ଆଲୋଚନା କରିବାକୁ ରାଜି ହେବାରୁ ପୁଣି ଥରେ ନିମିଷାଙ୍କ ଜୀବନ ବଞ୍ଚିଯିବା ନେଇ ଆଶା ଜାଗି ଉଠିଛି । କିନ୍ତୁ ଏବେ କିଛି ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ । ଏବେ ଦେଖିବାକୁ ବାକି ରହିଲା ଯେ, ତଲାଲଙ୍କ ପରିବାର ବ୍ଲଡ ମନି ପାଇଁ ରାଜି ହେଉଛନ୍ତି କି ନାହିଁ । ଯଦି ରାଜି ନ ହୁଅନ୍ତି ତେବେ ଜୁଲାଇ ୧୬ରେ ନିମିଷାଙ୍କୁ ଫାଶି ଦଣ୍ଡ ମିଳିପାରେ ।