ନୂଆଦିଲ୍ଲୀ: ପାକିସ୍ତାନର କରାଚିରେ ଗୁରୁବାର ଏକ ଆପାର୍ଟମେଣ୍ଟରେ ଗ୍ୟସ୍ ଲିକରୁ ବଡ ବିସ୍ଫୋରଣ ଘଟିଛି । ଫଳରେ କୋଠା ଭୁଶୁଡିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ମୃତକ ମଧ୍ୟରେ ମହିଳା ଓ ଶିଶୁ ସାମିଲ୍ । ସ୍ଥାନୀୟ ପୋଲିସ ମୁଖ୍ୟ ରିଜୱାନ ପଟେଲ କହିଛନ୍ତି, ଏହି ବିସ୍ଫୋରଣ ସିନ୍ଧ ପ୍ରାନ୍ତର ରାଜଧାନୀ କରାଚିରେ ଏକ ଆବାସୀୟ ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । କେଉଁ କାରଣରୁ ଗ୍ୟାସ୍ ବିସ୍ଫୋରଣ ଘଟିଲା ତାର ସନ୍ଧାନ କରାଯାଉଛି । ଅତଡା ହଟାଯାଇ ଲୋକଙ୍କୁ ଉଦ୍ଧାର କରାଯାଉଛି ।
ଗୁରୁବାର ସକାଳେ ଏକ ଆବାସୀୟ କୋଠାରେ ଗ୍ୟାସ୍ ଲିକ୍ ହେବାରୁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏଥିରେ ମହିଳା ଓ ଶିଶୁ ସମେତ ଅନ୍ୟୁନ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଅଧିକାରୀ ଜାମସେଦ ଅସ୍ରଫ କହିଛନ୍ତି, ବିସ୍ଫୋରଣ ଭୋର ସକାଳ ପ୍ରାୟ ୪ଟା ୩୦ରେ ପ୍ରଥମ ମହଲାରେ ଘଟିଛି । ଉଲ୍ଲେଖନୀୟ ପାକିସ୍ତାନରେ ଆଜି ରମଜାନର ପ୍ରଥମ ଦିନ ପାଳନ କରାଯାଉଛି । ଅତଡା ତଳେ କାଳେ କିଏ ଫସି ରହିଥିବ କିମ୍ବା ଆଉ କାହାର ମୃତ୍ୟୁ ଘଟିଥିବ ତାକୁ ନେଇ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
କୁହାଯାଉଛି ମୃତକଙ୍କ ମଧ୍ୟରେ ଅତି କମରେ ୯ ଛୋଟ ପିଲା ସାମିଲ୍ ଥିଲେ, ଯାହାଙ୍କ ବୟସ ୨ ବର୍ଷରୁ ଧରି ୧୭ ବର୍ଷ ହେବ । ଆହତ ମଧ୍ୟରେ ସାତ ଛୋଟ ପିଲା ମଧ୍ୟ ସାମିଲ୍ । ଉଲ୍ଲେଖନୀୟ ପାକିସ୍ତାନର ସବୁଠୁ ବଡ ସହର କରାଚିରେ ଗ୍ୟାସ୍ ଅଭାବ କାରଣରୁ ନିମ୍ନ ଆୟ ବର୍ଗ ଅଞ୍ଚଳରେ ଲୋକେ ନିଜ ଘରେ ତରଳ ପେଟ୍ରୋଲିୟମ ଗ୍ୟାସ(ଏଲପିଜି) ସିଲିଣ୍ଡରର ବ୍ୟବହାର କରାଯାଏ ।