ନୂଆଦିଲ୍ଲୀ, ଜୁନ୍ ୨୮ (ଖବର ଓଡ଼ିଶା): ଜୋର୍ଡାନର ଅକାବା ବନ୍ଦରରେ ଏକ ଷ୍ଟୋରେଜ ଟ୍ୟାଙ୍କିରୁ କ୍ଲୋରିନ ଗ୍ୟାସ ନିର୍ଗତ ହେବା କାରରରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଯୋଗୁଁ ୨୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକାରୀ ଓ ରାଜ୍ୟ ଗଣମାଧ୍ୟମ ସୋମବାର ଏହି ସୂଚନା ଦେଇଛି । ଅଧିକାରୀ କହିଛନ୍ତି ଯେ, ୨୫ ଟନ୍ କ୍ଲୋରିନ ଗ୍ୟାସ ଭର୍ତ୍ତି ଟ୍ୟାଙ୍କ ଜିବୁତିକୁ ରପ୍ତାନୀ କରୁଥିବା ବେଳେ ଏହା ନିର୍ଗତ ହୋଇଥିଲା ।
ସରକାରୀ ଟେଲିଭିଜନର ଟୁଇଟର ପେଜ୍ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଏକ ବଡ଼ ଟ୍ୟାଙ୍କକୁ ଖସିପଡୁଥିବା ଦେଖାଯାଉଛି । ଏହା ଜାହାଜର ଡେକ ସହିତ ଧକ୍କା ହୋଇଛି । ଏହା ପରେ ହଳଦିଆ ରଙ୍ଗର ଗ୍ୟାସ ଆକାଶକୁ ଉଠୁଛି । ଏହାକୁ ଦେଖି ଲୋକେ ପଳାୟନ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସାର୍ବଜନିକ ସୁରକ୍ଷା ନିର୍ଦ୍ଦେଶକ କହିଥିଲେ ଯେ, ଗ୍ୟାସ ଟାଙ୍କିକୁ ନିଆଯିବା ସମୟରେ ଗ୍ୟାସ ନିର୍ଗତ ହୋଇଥିଲା ।