ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ପର୍ଦ୍ଦାଫାସ କରିବା ପାଇଁ ଭାରତ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ର ସରକାର ସାରା ବିଶ୍ୱରେ ୫୯ ଜଣିଆ ପ୍ରତିନିଧିମଣ୍ଡଳୀ ପଠାଇବେ। ସର୍ବଦଳୀୟ ସାଂସଦଙ୍କ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ୧୦ ଜଣ ମୁସଲିମ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରତିନିଧି ଦଳରେ ୫୧ ଜଣ ନେତା ଏବଂ ୮ ଜଣ ରାଷ୍ଟ୍ରଦୂତ ଅଛନ୍ତି। ଏନଡିଏର ୩୧ ଜଣ, କଂଗ୍ରେସରୁ ୩ ଜଣ ଏବଂ ଅନ୍ୟାନ୍ୟ ଦଳର ୨୦ ଜଣ ନେତାଙ୍କୁ ସ୍ଥାନ ମିଳିଛି।
ପ୍ରତିନିଧିମଣ୍ଡଳୀକୁ ୭ଟି ଭିନ୍ନଭିନ୍ନ ଗୋଷ୍ଠୀରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗୋଷ୍ଠୀ ପାଇଁ ଜଣେ ନେତାଙ୍କୁ ଚୟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ଗୋଷ୍ଠୀରେ ଅତି କମରେ ଜଣେ ମୁସଲିମ ନେତାଙ୍କୁ ସ୍ଥାନ ଦିଆଯାଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗ୍ରୁପ୍ ୧ର କମାଣ୍ଡ ଦିଆଯାଇଛି। ଗ୍ରୁପ୍ ୨ର କମାଣ୍ଡ ବିଜେପିର ରବି ଶଙ୍କର ପ୍ରସାଦଙ୍କୁ, ଗ୍ରୁପ୍ ୩ର ଜେଡିୟୁର ସଞ୍ଜୟ କୁମାର ଝାଙ୍କୁ ଏବଂ ଗ୍ରୁପ୍ ୪ର ଦାୟିତ୍ୱ ଶିବସେନାର ଶ୍ରୀକାନ୍ତ ସିନ୍ଦେଙ୍କୁ ଦିଆଯାଇଛି। ଗ୍ରୁପ ୫ର ନେତା ହେଉଛନ୍ତି ଶଶି ଥରୁର। ଗ୍ରୁପ୍ 6ର ଦାୟିତ୍ୱ ଡିଏମକେ ସାଂସଦ କାନିମୋଝିଙ୍କୁ ଏବଂ ଗ୍ରୁପ୍ ୭ର ଦାୟିତ୍ୱ ଏନସିପି-ସିଏସପି ସାଂସଦ ସୁପ୍ରିୟା ସୁଲେଙ୍କୁ ଦିଆଯାଇଛି।
ଏଆଇଏମ୍ଆଏମ୍ ସାଂସଦ ଅସଦୁଦ୍ଦିନ ଓୱେସି ଏବଂ ଡିପିଏପିର ଗୁଲାମ ନବୀ ଆଜାଦଙ୍କୁ ମୁସଲିମ ନେତା ଭାବରେ ଗ୍ରୁପ ୧ରେ ସାମିଲ କରାଯାଇଛି। ଗ୍ରୁପ୍ ୧ ପ୍ରତିନିଧି ଦଳ ସାଉଦି ଆରବ, କୁଏତ, ବାହାରିନ ଏବଂ ଆଲଜେରିଆ ଗସ୍ତ କରିବେ। ଗୁଲାମ ଅଲି ଖଟାନା ଏବଂ ଏମଜେ ଆକବରଙ୍କୁ ଗ୍ରୁପ ୨ରେ ସାମିଲ କରାଯାଇଛି। ଗ୍ରୁପ ୩ରେ ସଲମାନ ଖୁର୍ସିଦ, ଗ୍ରୁପ ୪ରେ ଇଟି ମହମ୍ମଦ ବଶିର, ଗ୍ରୁପ ୫ରେ ଡକ୍ଟର ସରଫରାଜ ଅହମ୍ମଦ, ଗ୍ରୁପ ୬ରେ ମିଆଁ ଅଲତାଫ ଅହମ୍ମଦ ଏବଂ ଜାଭେଦ ଆଶ୍ରଫ, ଗ୍ରୁପ ୭ରେ ସୟଦ ଆକବରୁଦ୍ଦିନଙ୍କୁ ମୁସଲିମ ନେତା ଭାବରେ ସାମିଲ କରାଯାଇଛି।
ଗ୍ରୁପ୍ ୧ ସାଉଦି ଆରବ, କୁଏତ, ବାହାରିନ ଏବଂ ଆଲଜେରିଆ ଗସ୍ତ କରିବ। ଗ୍ରୁପ୍ ୨ ୟୁକେ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ ଏବଂ ଡେନମାର୍କ ଗସ୍ତ କରିବ। ଗ୍ରୁପ୍ ୩ ରେ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁର ଯିବ। ଗ୍ରୁପ୍ ୪ ରେ ସଂଯୁକ୍ତ ଆରବ ଏମିରେଟ୍ସ, ଲାଇବେରିଆ, କଙ୍ଗୋ ଏବଂ ସିଏରା ଲିଓନ ଯିବ। ସେହିପରି ଗ୍ରୁପ୍ ୫ ଆମେରିକା, ପାନାମା, ଗୁୟାନା, ବ୍ରାଜିଲ ଏବଂ କଲମ୍ବିଆ ଗସ୍ତ କରିବ। ଗ୍ରୁପ୍ ୬ ସ୍ପେନ୍, ଗ୍ରୀସ୍, ସ୍ଲୋଭେନିଆ, ଲାଟଭିଆ ଏବଂ ରୁଷିଆ ଗସ୍ତ କରିବ। ସେହିପରି ଗ୍ରୁପ୍ ୭ ଇଜିପ୍ଟ, କତାର, ଇଥିଓପିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଯିବ।
ଅଧିକ ପଢ଼ନ୍ତୁ: ପ୍ରଫେସରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ