ନୂଆଦିଲ୍ଲୀ: ଲେବାନନ ଓ ଗାଜାରେ ଆତଙ୍କବାଦୀଙ୍କ ଠିକଣା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ ସେନାର କ୍ଷେପଣାସ୍ତ୍ର ମାଡରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପରେ ଗୁରୁବାର ମଧ୍ୟରାତ୍ରରେ ଇସ୍ରାଏଲ ସେନା ମଧ୍ୟ ଲେବାନନର ଜନବହୁଳ ଅଞ୍ଚଳକୁ ଟାର୍ଗେଟ୍ କରିଛି । ଏହି ଆକ୍ରମଣରେ ଅତି କମରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୨ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଆକ୍ରମଣ ଏତେ ଭୟାବହ ଥିଲା ଯେ, କ୍ଷେପଣାସ୍ତ୍ର ମାଡରେ ଅନେକ କୋଠା ମାଟିରେ ମିଶିଥିବା ଅଞ୍ଚଳରେ ନିଆଁ ଲାଗି ଯାଇଛି । ସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ । ସେପଟେ ଇସ୍ରାଏଲ ସେନା କହିଛି ଯେ, ହିଜବୁଲ୍ଲାର ସିନିୟର ଲିଡରକୁ ଟାର୍ଗେଟ୍ କରି ଏହି ମିସାଇଲ ମାଡ କରାଯାଇଛି ।
ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୃତକଙ୍କୁ ନେଇ ଉପରୋକ୍ତ ସୂଚନା ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଆକ୍ରମଣରେ ଏକ ଜନବହୁଳ କୋଠା ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଉ ଗୋଟିଏ କୋଠା ମାଟିରେ ମିଶି ଯାଇଛି । ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଏହି ଆକ୍ରମଣରେ ଇସ୍ରାଏଲ ସେନା ତୁରନ୍ତ କୌଣସି ଟିପ୍ପଣୀ କରି ନାହିଁ । ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେବେ ଇସ୍ରାଏଲ ଲେବାନନରେ ଇରାନ ସମର୍ଥିତ ହିଜବୁଲ୍ଲା ବିରୋଧରେ ନିଜର ଆକ୍ରମଣର ପରିଧିକୁ ବଢାଇ ଦେଇଛି ।