ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଜି ସେଭେନ ଦେଶ ଉତ୍ତେଜନାକୁ କମ କରିବା ପାଇଁ ବୁଧବାର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଇସ୍ରାଏଲ ବିରୋଧରେ ଇରାନର ଆକ୍ରମଣକୁ କଡା ନିନ୍ଦା କରାଯାଇଛି । ଏପରିକି ଜି ସେଭେନରେ ସାମିଲ ନେତାମାନେ ଇରାନ ଉପରେ ନୂତନ କଟକଣା ଲଗାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ଅନ୍ୟପଟେ ପ୍ରତିଶୋଧର ନିଆଁରେ ଜଳୁଥିବା ଇସ୍ରାଏଲକୁ ଆମେରିକା କଡା ସନ୍ଦେଶ ଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ସେ ଇସ୍ରାଏଲକୁ ସମର୍ଥନ ଦେଉଛନ୍ତି । ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଆକ୍ରମଣ କରେ ତେବେ ଆମେରିକା ଆଉ ସମର୍ଥନ ଦେବ ନାହିଁ ।
ଜି ସେଭେନର ନେତାମାନେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଚମରେ ପହଞ୍ଚିଥିବା ଉତ୍ତେଜନାକୁ କୂଟନୈତିକ ମାଧ୍ୟମରେ ସମାଧାନ ନେଇ ଆଶାବାଦୀ । ଆମେ ଆଶା କରୁଛୁ ଆଲୋଚନା ଜରିଆରେ ଏହି ସଂଘର୍ଷର ସମାଧାନର ରାସ୍ତା ବାହାରିବ । ଏକ ବୟାନ ଜାରି କରି ଜି ସେଭେନର ନେତାମାନେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଏହି ସଙ୍କଟ ସଭିଙ୍କ ପାଇଁ ଚିନ୍ତାର କାରଣ । ଏହାର କୂଟନୈତିକ ସମାଧାନ ଏବେ ମଧ୍ୟ ସମ୍ଭବ ରହିଛି । ବର୍ତ୍ତମାନ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଜି ସେଭେନର ଅଧ୍ୟକ୍ଷତା କରୁଛନ୍ତି । ଜି ସେଭେନରେ ଇଟାଲୀ ସହିତ ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଜାପାନ ସାମିଲ । ହ୍ୱାଇଟ୍ ହାଉସ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇରାନ ଉପରେ ନୂତନ କଟକଣା ଲଗାଇବାକୁ ପ୍ରସ୍ତୁତ ।
ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପୁରା ମଧ୍ୟପ୍ରାଚ୍ୟକୁ ଯୁଦ୍ଧର ମୁହାଣରେ ଆଣି ଛିଡା କରାଇ ଦେଇଛି । ଇସ୍ରାଏଲର ସେନା ମୁଖ୍ୟ ମଧ୍ୟ କହିଛନ୍ତି ଯେ, କେଉଁ ସମୟରେ ବି ଇରାନ ଉପରେ ଆକ୍ରମଣ ହୋଇପାରେ । ତାଙ୍କର ଏହି ବୟାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ମଙ୍ଗଳବାର ରାତିରେ ଇରାନର ଆକ୍ରମଣ ପରଠୁ ଅଦ୍ୟାବଧି ଇସ୍ରାଏଲ ଇରାନ ଉପରେ ସିଧା ଜବାବ ଦେଇ ନାହିଁ । ମାତ୍ର ଏକ ବଡ ଯୁଦ୍ଧର ଆଶଙ୍କା ବଢି ଯାଇଛି ।
ଅନ୍ୟପଟେ ଇରାନ ପାଖାପାଖି ୨୦୦ ମିସାଇଲ ମାଡ କରିବା ପରେ ବି ଆକ୍ରମଣାତ୍ମକ ମୋଡରେ ରହିଛି । ଇରାନର ସେନା ମୁଖ୍ୟ ଜେନେରାଲ ମହମ୍ମଦ ବାଘେରୀ ଇସ୍ରାଏଲକୁ ଧମକ ଦେଇଛନ୍ତି, ଯଦି ଇସ୍ରାଏଲ ପ୍ରତିଜବାବ ଦିଏ ତେବେ ତାକୁ ଭୟାବହ ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲର ପ୍ରତିଟି ଠିକଣାରେ ଆକ୍ରମଣ କରାଯିବ । ଇରାନ ସ୍ପଷ୍ଟ ଶବ୍ଦରେ କହିଛି ଯେ, ଇସ୍ରାଏଲର ପ୍ରତିଟି କୋଣରେ ଏବେ ହମଲା କରାଯିବ । ଯଦି ଇସ୍ରାଏଲ ପାଲଟା ଆକ୍ରମଣ କରେ ତେବେ ଇସ୍ରାଏଲର ପ୍ରତିଟି ଅଞ୍ଚଳରେ ମିସାଇଲ ବର୍ଷା ହେବ ।