ଯୁକ୍ତରାଷ୍ଟ୍ର ଆମେରିକା: ଗତ କିଛି ଦିନ ଧରି ଆମେରିକାର ଅନେକ ସ୍ଥାନରେ ଅସ୍ପରଜିଲସ୍ ଫ୍ୟୁମିଗେଟ୍ସ ଫଙ୍ଗସ୍ ବ୍ୟାପିବାରେ ଲାଗିଛି। ଫ୍ଲୋରିଡା, ଲୁଇସିଆନା, ଟେକ୍ସାସ, ଜର୍ଜିଆ ଏବଂ କାଲିଫର୍ନିଆରେ ଏହାର ଅନେକ ମାମଲା ରିପୋର୍ଟ ହୋଇଛି। ଏଠାରେ ପାଗ ଗରମ ଏବଂ ଆର୍ଦ୍ରତା ଥିବାରୁ ଫଙ୍ଗସ୍ ବଢ଼ିବାରେ ଲାଗିଛି । ଏହା ବ୍ୟତୀତ, ନ୍ୟୁୟର୍କ, ହ୍ୟୁଷ୍ଟନ୍ ଏବଂ ଲସ୍ ଆଞ୍ଜେଲସ୍ ଭଳି ବଡ଼ ସହର ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି । ଆସ୍ପରଜିଲସ୍ ଫ୍ୟୁମିଗେଟ୍ସ ଏକ ବିପଦଜନକ ଫଙ୍ଗସ୍, ଯାହା ନିଶ୍ୱାସ ମାଧ୍ୟମରେ ଶରୀରରେ ପ୍ରବେଶ କରେ। ଏଠାରୁ ଏହା ଫୁସଫୁସରେ ଗମ୍ଭୀର ସଂକ୍ରମଣ ବିସ୍ତାର କରିପାରେ। ଯାହା ପରେ ଏହା ଶରୀରର ଅନ୍ୟ କୋଷ ଏବଂ ଟିସୁକୁ ଦ୍ରୁତ ଗତିରେ ନିଜର ଶିକାର କରିଥାଏ।
ତେବେ ଚାଲନ୍ତୁ ଜାଣିବା କେଉଁ ଲୋକମାନେ ଏହି ଫଙ୍ଗସ୍ ଦ୍ୱାରା ଅଧିକ ଆକ୍ରନ୍ତ ହେବେ । ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, କର୍କଟ କିମ୍ବା ଶ୍ୱାସରୋଗ ରୋଗୀ ଆସ୍ପରଜିଲସ୍ ଫ୍ୟୁମିଗେଟ୍ସ ସଂକ୍ରମଣର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, HIV ସଂକ୍ରମଣରେ ପୀଡିତ ଲୋକମାନେ ମଧ୍ୟ ଏହାର ଶିକାର ହୋଇପାରନ୍ତି। ଧଳା ରକ୍ତ କୋଷ (WBC) ଅଭାବରୁ ପୀଡିତ ଲୋକମାନେ ମଧ୍ୟ ଏହି ସଂକ୍ରମଣର ସସ୍ପର୍ଶରେ ଆସିଥାନ୍ତି ।
ବିଶେଷଜ୍ଞଙ୍କ ମତ ଅନୁସାରେ ଆସ୍ପରଜିଲସ୍ ଫ୍ୟୁମିଗେଟ୍ସର ପ୍ରଥମ ଆକ୍ରମଣ ଫୁସଫୁସ ଉପରେ ହୁଏ। ଏହା କ୍ରନିକ ପଲ୍ମୋନାରୀ ଆସ୍ପରଜିଲସ୍ ରୂପ ନେଇପାରେ। ଦୀର୍ଘ ସମୟ ଧରି ଫୁସଫୁସକୁ ସଂକ୍ରମିତ କରିବା ପରେ, ଏହା ହାର୍ଟ, ମସ୍ତିଷ୍କ ଏବଂ ବୃକକ୍ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ ଏବଂ ଉପଯୁକ୍ତ ଚିକିତ୍ସା ନ ଦିଆଗଲେ ମୃତ୍ୟୁ ମଧ୍ୟ ହୋଇପାରେ। ଆମେରିକାର କିଛି ସ୍ଥାନରେ, ଆସ୍ପରଜିଲସ୍ ଫ୍ୟୁମିଗେଟ୍ସର ଏପରି ପ୍ରଜାତି ଦେଖାଯାଏ ଯାହା ଉପରେ ସାଧାରଣ ଔଷଧ ମଧ୍ୟ କାମ କରେ ନାହିଁ କାରଣ ସେମାନେ ଆଣ୍ଟିଫଙ୍ଗାଲ୍ ଔଷଧ ବିରୁଦ୍ଧରେ ପ୍ରତିରୋଧ ସୃଷ୍ଟି କରନ୍ତି।
ଏହାକୁ ରୋକିବା ପାଇଁ, ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ମାଟି ଏବଂ ବଗିଚାରୁ ଦୂରେଇ ରହିବା ଉଚିତ। ଏହା ବ୍ୟତୀତ, ସେମାନଙ୍କୁ ଫଙ୍ଗସ୍ ଥିବା ଅଞ୍ଚଳକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହା ସହିତ, ହସ୍ପିଟାଲ ଏବଂ ଘରେ ସଫାସୁତୁରା ପ୍ରତି ଧ୍ୟାନ ଦେବା ଉଚିତ୍ ଏବଂ ଧୂଳିମୟ ଅଞ୍ଚଳରେ ମାସ୍କ ପିନ୍ଧି ଏହି ଫଙ୍ଗସ୍ କୁ ରୋକାଯାଇପାରିବ ।