ମଧ୍ୟପ୍ରାଚ୍ୟରେ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଏମେ ଚରମ ସୀମାରେ ପହଁଞ୍ଚିଛି। ଏବେ ଆମେରିକା ମଧ୍ୟ ଖୋଲାଖୋଲି ଭାବରେ ଏଥିରେ ସାମିଲ ହେବାକୁ ଧମକ ଦେଉଛି। ଏପରି ପରିସ୍ଥିତିରେ, ୮୬ ବର୍ଷୀୟ ସବୋର୍ଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇ ସାମ୍ନାକୁ ଆସି ଆମେରିକା ଏବଂ ଇସ୍ରାଏଲ୍ ଉଭୟ ଦେଶକୁ ଚେତାବନୀ ଦେଇଛନ୍ତି । ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଖାମେନି ସ୍ପଷ୍ଟ କରିଛନ୍ତି ଯେ ଯଦି ଆମେରିକା କୌଣସି ସାମରିକ ହସ୍ତକ୍ଷେପ କରେ, ତେବେ ଏହାର ପରିଣାମ ବହୁତ ଖରାପ ହେବ, ଯାହା କେବେବି କ୍ଷତିପୂରଣ ହୋଇପାରିବ ନାହିଁ। ଇଟାର ଜବାବ ପଥରରେ ଦିଆଯିବ।
ଟ୍ରମ୍ପଙ୍କ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦାବି କରାଯାଇଥିବା ‘ବିନା ସର୍ତ୍ତରେ ଆତ୍ମସମର୍ପଣ’ର ସିଧାସଳଖ ଜବାବ ଦେଇଛନ୍ତି ଖାମେନି। ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ଆମେରିକା ଜାଣେ ଯେ ଖାମେନି କେଉଁଠାରେ ଲୁଚି ରହିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କୁ ହତ୍ୟା କରିବାକୁ ଚାହୁଁନାହିଁ। ଏହା ଉପରେ ପ୍ରତିକ୍ରିୟା ଦେଇ ଖାମେନି କହିଛନ୍ତି, 'ଯେଉଁମାନେ ଇରାନର ଇତିହାସ ଜାଣନ୍ତି ସେମାନେ ଧମକର ଭାଷା କୁହନ୍ତି ନାହିଁ।'
ଖାମେନି ତାଙ୍କ ବାର୍ତ୍ତାରେ ଇରାନ ଲୋକଙ୍କ ପ୍ରଶଂସା କରି କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣ ପରେ ଲୋକଙ୍କ ଧୈର୍ଯ୍ୟ ଏବଂ ସାହସ ସେମାନଙ୍କ ଜାତୀୟ ଶକ୍ତିର ପ୍ରତୀକ। ସେ କହିଥିଲେ ଯେ ଇରାନ ଜାତି କୌଣସି ଯୁଦ୍ଧ ଆଗରେ ମୁଣ୍ଡ ନୁଆଁଇବ ନାହିଁ... ଏବଂ କୌଣସି ଶାନ୍ତି ଚୁକ୍ତିନାମାକୁ ଗ୍ରହଣ କରିବ ନାହିଁ।
ଇସ୍ରାଏଲକୁ ବି ଚେତାବନୀ
ଇସ୍ରାଏଲ ଉପରେ କଠୋର ଆଭିମୁଖ ଗ୍ରହଣ କରି ଖାମେନି କହିଛନ୍ତି ଯେ ଇରାନ ବାୟୁସୀମାରେ ଅନୁପ୍ରବେଶ କରି ଇସ୍ରାଏଲ ଏକ ବଡ଼ ଭୁଲ କରିଛି। ଏହା ଇରାନର ‘ରେଡ୍ ଲାଇନ’ ବା ଲାଲ ରେଖା' ଏବଂ ଯିଏ ଏହାକୁ ଅତିକ୍ରମ କରିବ ତାଙ୍କୁ କ୍ଷମା ଦିଆଯିବ ନାହିଁ। ଏହି ଭୁଲ ପାଇଁ ଇସ୍ରାଏଲକୁ ଭାରୀ ମୂଲ୍ୟ ଦେବାକୁ ପଡିବ ବୋଲି ଖାମେନି ଚେତାବନୀ ଦେଇଛନ୍ତି।
ଖାମେନି ଦେଶବାସୀଙ୍କୁ ଏକତାବଦ୍ଧ ରହିବାକୁ ନିବେଦନ କରି କହିଛନ୍ତି, ସହିଦଙ୍କ ରକ୍ତ ବ୍ୟର୍ଥ ଯିବ ନାହିଁ । ଇରାନର ସାମରିକ ଶକ୍ତିକୁ ସାହସିକ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ଏହି ଶକ୍ତି ଦେଶକୁ ଆତ୍ମନିର୍ଭରଶୀଳ ଏବଂ ଆତ୍ମବିଶ୍ୱାସୀ କରୁଛି।