ଇରାକ ହଷ୍ଟେଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଯାହା ଫଳରେ ୧୪ ଜଣଙ୍କ ମୃତ୍ୟୁ ହେବାସହିତ ୧୮ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ଇରାକର ଏରବିଲ୍ ସ୍ଥିତ ଏକ ହଷ୍ଟେଲରେ ନିଆଁ ଲାଗିଥିଲା । ନିଆଁ ଧୀରେ ଧୀରେ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ନିଆଁ ଦେଖି ହଷ୍ଟେଲରେ ଥିବା ଛାତ୍ର ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ହଷ୍ଟେଲରେ ଛାତ୍ରଙ୍କ ବ୍ୟତୀତ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ କର୍ମଚାରୀ ରହୁଥିବା ମଧ୍ୟ ସୂଚନା ମିଳିଛି ।
ହଷ୍ଟେଲ ବିଲ୍ଡିଂର ତୃତୀୟ ଓ ଚତୁର୍ଥ ତାଲାରେ ନିଆଁ ପ୍ରଥମେ ଲାଗିଥିଲା ପରେ ପୁରା ହଷ୍ଟେଲକୁ ବ୍ୟାପିଯାଇଥିଲା ଏହି ନିଆଁ । ହଷ୍ଟେଲରେ ଛାତ୍ରମାନେ ନିଆଁ ଲାଗିବାର ଦେଖି ହୋ ହାଲା କରିବା ଆରମ୍ଭ କରିଦେଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇ ଚେଷ୍ଟା କରିଥିଲେ । ବହୁ ସମୟର ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ସକ୍ଷମ ହୋଇଥିଲେ । ନିଆଁ ପ୍ରଭାବରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ୧୮ ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ ।
ଆଗକୁ ପଢ଼ନ୍ତୁ : ଆଗ୍ନେୟ ଉଦଗୀରଣରେ ଚାଲିଗଲା ୧୧ ଜଣକ ଜୀବନ