ନୂଆଦିଲ୍ଲୀ: ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ୍ ମହମ୍ମଦ ଅଲ ମକତୁମ୍ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏଥି ସହିତ ତାଙ୍କର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସେ ମୁମ୍ବାଇରେ ଏକ ବ୍ୟବସାୟ ସମ୍ମିଳନୀରେ ଯୋଗଦେବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଶେଖ୍ ହମଦାନଙ୍କ ଗସ୍ତ ହେଉଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଦୁବାଇର ଯୁବରାଜ ଭାବରେ ଏହା ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତାକୁ ପ୍ରୋତ୍ସାହନ ମିଳିବାର ଆଶା କରାଯାଉଛି।
ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଶେଖ୍ ହମଦାନଙ୍କ ସହିତ ଅନେକ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ଦଳ ରହିବେ। ଯୁବରାଜଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ।
ଦୁବାଇ ବହୁ ଦିନ ଧରି ୟୁଏଇ ସହିତ ଭାରତର ବାଣିଜ୍ୟିକ ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ରହିଛି। ଏମିରେଟ୍ସରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୪.୩ ନିୟୁତ ବୋଲି ଆକଳନ କରାଯାଇଛି, ଯାହାଙ୍କ ମଧ୍ୟରୁ ଅଧିକାଂଶ ଦୁବାଇରେ ରୁହନ୍ତି। ଏହି ଗସ୍ତ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତାକୁ ନୂତନ ଗତି ଦେବ ଏବଂ ଦୁବାଇ ସହିତ ଭାରତର ସାଂସ୍ଥାଗତିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ବିଜେଡିର ଘରୋଇ କଳି