ନୂଆଦିଲ୍ଲୀ/ଓଟାୱା: କିଛି ବର୍ଷ ତଳେ କାନାଡ଼ାର ଏକ କଲେଜରେ ନାମ ଲେଖାଇବା ପାଇଁ ୱାର୍କ ପରମିଟ୍ ଓ ସ୍ଥାୟୀ ବାସସ୍ଥାନ ସହଜରେ ମିଳୁଥିଲା। ଡିଗ୍ରୀ ମିଲ୍ ନାମକ କଲେଜରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ। ଏଥିରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଅଧିକାଂଶ ପଞ୍ଜାବର ଥିଲେ, ଯେଉଁମାନେ ସମୟ କ୍ରମେ ସ୍ଥାୟୀ ବାସସ୍ଥାନ ଏବଂ ପରେ ନାଗରିକତା ପାଇଥିଲେ। କାନାଡା ବେରୋଜଗାରୀ ଏବଂ ମନ୍ଥର ଅର୍ଥନୀତି ସହ ସଂଘର୍ଷ କରୁଥିବାରୁ କାନାଡା ଯିବାର ସ୍ୱପ୍ନର ସେହି ସହଜ ରାସ୍ତା ଏବେ ବାଧାପ୍ରାପ୍ତ ହୋଇଛି। ସେପଟେ ଇମିଗ୍ରେସନକୁ ନେଇ ସାଧାରଣରେ ବିରୋଧର ସମ୍ମୁଖୀନ ହେଉଥିବା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ ସରକାର ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ସଂଖ୍ୟା ସୀମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାନାଡାରେ ଭାରତୀୟ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଛନ୍ତି।
କାନାଡା ସରକାରଙ୍କ ଏହି ନିଷ୍ପତ୍ତି ପରେ ବହୁ ସଂଖ୍ୟକ ଅନ୍ତର୍ଜାତୀୟ ଛାତ୍ର ଓ ବିଦେଶୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସାମ୍ନାରେ ସଙ୍କଟ ସୃଷ୍ଟି ହୋଇଛି। ଯଦିଓ ଏହା ୱାର୍କ ପରମିଟ୍ ଏବଂ ଆବାସ ଅଧିକାରର ବିଷୟ, ତଥାପି ହଜାର ହଜାର ଛାତ୍ରଛାତ୍ରୀ ଏବଂ ଅସ୍ଥାୟୀ ବିଦେଶୀ କର୍ମଚାରୀ କାନାଡା ସରକାରଙ୍କ ଉପରେ ଚାପ ପକାଇବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଭାରତୀୟ ବଂଶୋଦ୍ଭବ କାନାଡାବାସୀଙ୍କ ସମର୍ଥନ ପାଇବେ ବୋଲି ସେ ଆଶା ରଖିଛନ୍ତି। କାନାଡାର ପ୍ରିନ୍ସ ଏଡୱାର୍ଡ ଦ୍ୱୀପ (ପିଇଆଇ) ପ୍ରଦେଶରେ ଅନେକ ମାସ ଧରି ବିକ୍ଷୋଭ ଚାଲିଛି । ଏଠାରେ ଅସ୍ଥାୟୀ ବିଦେଶୀ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ବିଧାନସଭା ବାହାରେ ଡେରା ପକାଇଛନ୍ତି।
ସେପଟେ ସୋମବାର ଜଷ୍ଟିନ ଟ୍ରୁଡୋଙ୍କ ତୁଘଲକ ଆଦେଶ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମନରେ କ୍ରୋଧ ଭରି ଦେଇଛି। ଟ୍ରୁଡୋ କହିଛନ୍ତି ଯେ ଦେଶ କମ୍ ଦରମାରେ ବିଦେଶୀ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରିବ ଏବଂ ସେମାନଙ୍କ ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବ। ସେବେଠାରୁ ବିକ୍ଷୋଭ ଆରମ୍ଭ ହୋଇଛି। ୱାର୍କ ପରମିଟ୍, ରେସିଡେନ୍ସି ଏବଂ ନାଗରିକତା ସହଜରେ ଉପଲବ୍ଧ ହେବା ଦ୍ୱାରା ଭାରତ ସମେତ ଗ୍ଲୋବାଲ ସାଉଥର ବିଦେଶୀ ଯୁବକମାନେ କାନାଡାକୁ ଆକର୍ଷିତ ହୋଇଛନ୍ତି, କିନ୍ତୁ ସେମାନଙ୍କ ର ବଢୁଥିବା ସଂଖ୍ୟା କେବଳ ସ୍ଥାନୀୟ ଲୋକଙ୍କ ପାଇଁ ନୁହେଁ ବରଂ ଅସ୍ଥାୟୀ ବିଦେଶୀ କର୍ମଚାରୀଙ୍କ ପାଇଁ ମଧ୍ୟ ନିଯୁକ୍ତି ସଙ୍କଟ ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ: ଆଜି କୋଲକାତାରେ ବିଜେପି, କଂଗ୍ରେସର ବିରୋଧ ରାଲି