ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଲ୍ଡ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ୫ ନିୟୁତ ଡଲାର ଖର୍ଚ୍ଚ କରିବା ପରେ ଯେ କୌଣସି ବ୍ୟକ୍ତି ଆମେରିକାର ନାଗରିକ ହୋଇପାରିବେ। ଟ୍ରମ୍ପଙ୍କ ଏହି ଯୋଜନା ପରେ ସେ କେବଳ ଧନୀ ପ୍ରବାସୀଙ୍କୁ ଫାଇଦା ଦେଉଥିବା ଅଭିଯୋଗ ହୋଇଥିଲା। ତେବେ ଟ୍ରମ୍ପ ଏବେ ନିଜ ଯୋଜନାକୁ ସମର୍ଥନ କରିଛନ୍ତି।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଗୋଲ୍ଡ କାର୍ଡ ଅଧୀନରେ ଆମେରିକୀୟ କମ୍ପାନୀମାନେ ଆମେରିକାର ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇପାରିବେ। ଡୋନାଲ୍ଡ ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ କମ୍ପାନୀଗୁଡିକ ଆମେରିକାରେ ଅଧ୍ୟୟନ କରୁଥିବା ଭାରତୀୟ ଗ୍ରାଜୁଏଟମାନଙ୍କୁ ନିଯୁକ୍ତି ଦେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ କାରଣ ସେମାନେ ଆମେରିକାରେ ରହିପାରିବେ କି ନାହିଁ ଅନିଶ୍ଚିତ ଥିଲେ। ଫଳରେ ଆମେରିକାରେ ପଢୁଥିବା ଭାରତୀୟ ଗ୍ରାଜୁଏଟମାନେ ନିଜ ଦେଶକୁ ଫେରିବେ, ସେଠାରେ କମ୍ପାନୀ ଆରମ୍ଭ କରିବେ, ହଜାର ହଜାର ଲୋକଙ୍କୁ ଚାକିରି ଦେବେ ଏବଂ କୋଟିପତି ହୋଇଯିବେ।
ଟ୍ରମ୍ପ କହିଛନ୍ତି ଯେ କିଛି କମ୍ପାନୀ ଅଣ-ଆମେରିକୀୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି। କିନ୍ତୁ ଇମିଗ୍ରେସନ ଅନିଶ୍ଚିତତା କାରଣରୁ ସେମାନେ ଏହା କରିପାରୁନାହାନ୍ତି। ମୋତେ କିଛି କମ୍ପାନୀରୁ କଲ୍ ଆସିଥାଏ ଯେଉଁମାନେ ବିଦ୍ୟାଳୟରେ ଏକ ନମ୍ବର ଛାତ୍ରଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି। ଗୋଲ୍ଡ କାର୍ଡ ଦ୍ୱାରା ଅଣ-ଆମେରିକୀୟଙ୍କୁ ନିଯୁକ୍ତି ଦେବା ସହଜ ହେବ।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଯୁବକ ଭାରତ, ଚାଇନା ଏବଂ ଜାପାନ ଭଳି ଦେଶରୁ ଆସିଛନ୍ତି। ସେ ହାର୍ଭାର୍ଡ, ୱାର୍ଟନ ସ୍କୁଲ ଅଫ୍ ଫାଇନାନ୍ସ ଏବଂ ୟେଲ ଭଳି ପ୍ରମୁଖ ଅନୁଷ୍ଠାନରେ ଅଧ୍ୟୟନ କରନ୍ତି। ସେ ନିଜ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ଚାକିରିର ଅଫର ମଧ୍ୟ ମିଳିଥାଏ। ତେବେ ସେହି ବ୍ୟକ୍ତି ଦେଶରେ ରହିପାରିବେ କି ନାହିଁ ତାହା କମ୍ପାନିଜାଣି ନ ଥିବାରୁ ଏହି ଅଫରକୁ ତୁରନ୍ତ ରଦ୍ଦ କରି ଦିଆଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ଆମେ ଗୋଲ୍ଡ କାର୍ଡ ସ୍କିମ୍ ତିଆରି କରିଛୁ। ଟ୍ରମ୍ପ କହିଛନ୍ତି ଯେ କୌଣସି କମ୍ପାନୀ ଗୋଲ୍ଡ କାର୍ଡ କିଣି ନିଯୁକ୍ତି ପାଇଁ ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ଭାରତକୁ ଧମକ ଦେଉଥିବା ଭିଡିଓ ଜାରି କଲା ପାକ୍ ସେନା