ୱାଶିଂଟନ୍: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଉପରାଷ୍ଟ୍ରପତି କମଳା ହ୍ୟାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି। ନିର୍ବାଚନ ପୂର୍ବରୁ ହୋଇଥିବା ଅନେକ ସର୍ଭେରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। କିନ୍ତୁ ଆଇଓୱା ସର୍ଭେରେ କମଳା ହାରିସଙ୍କୁ ଆଗୁଆ ଦେଖିବାକୁ ମିଳୁଛି। ଏଥିସହ କିଛି ସର୍ଭେରେ ଟ୍ରମ୍ପ ଆଗୁଆ ରହିଛନ୍ତି।
ନିର୍ବାଚନ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉଭୟ ପ୍ରାର୍ଥୀ ବିଜୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଟ୍ରମ୍ପ ସମର୍ଥନ ହାସଲ ପାଇଁ ପାରମ୍ପରିକ ପଦ୍ଧତି ଆପଣାଇଥିଲେ। ଉତ୍ତର କାରୋଲିନାର ଗାଷ୍ଟୋନିଆରେ ଏକ ଜନସମାଗମକୁ ସମ୍ବୋଧିତ କରି ସେ ତାଙ୍କ ଅଭିଯାନ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ସୂଚନାଯୋଗ୍ୟ, ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ନଭେମ୍ବର ୫ ତାରିଖରେ ମତଦାନ ଗ୍ରହଣ କରାଯିବ। ଭାରତୀୟ ସମୟ ଅନୁସାରେ ଆମେରିକାର ସମୟ ସାଢ଼େ ୧୦ ଘଣ୍ଟା ପଛୁଆ ରହିଛି। ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୭.୫ କୋଟି ଆମେରିକୀୟ ଆଗୁଆ ମତଦାନ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଜାରି ହୋଇଥିବା ଆଇଓୱା ସର୍ଭେରେ କମଳା ହାରିସ ଟ୍ରମ୍ପଙ୍କ ଠାରୁ ଆଗୁଆ ଥିବା ଦର୍ଶାଯାଇଛି। ଏହି ସର୍ଭେରେ କମଳା ହାରିସଙ୍କୁ ୪୭ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ୪୪ ପ୍ରତିଶତ ଭୋଟ୍ ମିଳିଥିଲା। ତେବେ ଟ୍ରମ୍ପ ଏହି ସର୍ଭେକୁ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି।
କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ବୋଲି ଅନେକ ସର୍ଭେରେ ଦାବି କରାଯାଉଛି। ନିର୍ବାଚନ ପୂର୍ବରୁ ରାଜଧାନୀ ୱାଶିଂଟନ ଡିସିରେ ସୁରକ୍ଷା ବଢ଼ାଇ ଦିଆଯାଇଛି, ଏଜେନ୍ସିଗୁଡିକ ହାଇ ଆଲର୍ଟରେ ଅଛନ୍ତି। ହ୍ଵାଇଟ୍ ହାଉସ୍ ଓ ଉପରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ବାହାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅଧିକ ପଢ଼ନ୍ତୁ: କାନାଡାର ସାଂସଦ କହିଲେ...