ନୂଆଦିଲ୍ଲୀ: ଗୋଟିଏ ପଟେ ସିନ୍ଧୁ ଜଳ ଉପରେ ଭାରତର ପ୍ରତିବନ୍ଧକ ପାକିସ୍ତାନ ପାଇଁ କାଳ ହୋଇଥିବାବେଳେ ଅନ୍ୟପଟେ ସମୁଦ୍ରର କରାଳ ରୂପ ଜନବସତିକୁ ଧ୍ୱଂସ କରିବାକୁ ବସିଛି । ପାକିସ୍ତାନର ଦକ୍ଷିଣ ପ୍ରାନ୍ତରେ ଥିବା ସିନ୍ଧୁ ଡେଲଟା ଏବେ ଉଜୁଡ଼ିବାକୁ ବସିଛି । ଆଖପାଖ ଅଞ୍ଚଳର ପ୍ରାୟ ୪୦ ଗାଁ ଏବେ ଜନଶୂନ୍ୟ ହୋଇସାରିଥିବାବେଳେ ୧୨ ଲକ୍ଷ ଲୋକ ନିଜ ମାଟି ଛାଡ଼ି ଅନ୍ୟତ୍ର ବାସ କରିବାକୁ ବାଧ୍ୟ ହେଉଛନ୍ତି ।
ସିନ୍ଧୁ ଡେଲଟାରେ ବସବାସ କରୁଥିବା ଲୋକେ ଫସଲ ଏବଂ ମାଛ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି । ଜନବସତି ଠାରୁ ମାତ୍ର ୧୫ କିଲୋମିଟରରେ ଦୂରରେ ସିନ୍ଧୁ ନଦୀ ଆରବ ସାଗରକୁ ସଂଯୋଗ କରୁଛି । ଗତ କିଛି ବର୍ଷ ହେବ ସମୁଦ୍ର ପାଣି ମାଡ଼ିଆସିବାରୁ ଫସଲ ଉଡ଼ୁଡ଼ି ଯାଉଛି । ସ୍ଥାନୀୟ ଲୋକଙ୍କ ଘରଦ୍ୱାର ସବୁକିଛି ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି । ଏହି ପ୍ରାନ୍ତର ୪୦ଟି ଗ୍ରାମର ପ୍ରାୟ ୧୨ ଲକ୍ଷ ଲୋକେ ପଳାୟନ କରିସାରିଲେଣି । ପ୍ରାୟତଃ କରାଚୀରେ ଆସି ବସବାସ କରୁଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସେଠାରେ ଜନବସତି ଲୁପ୍ତ ହେବାକୁ ବସିଛି । ୧୯୮୧ ମସିହାରେ ପ୍ରାୟ ୨୬, ୦୦୦ ଲୋକ ବାସ କରୁଥିବାବେଳେ ୨୦୨୩ରେ ଏହା ହ୍ରାସ ପାଇ ୧୧,୦୦୦ ହଜାରେ ପହଁଚିଲାଣି । ଥିଙ୍କ୍ ଟ୍ୟାଙ୍କ୍ ଜିନ୍ନା ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୨ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି । ୧୯୫୦ ଏବେ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ଲୋକ ବାସସ୍ଥାନ ଛାଡ଼ି ସାରିଛନ୍ତି । ୧୯୯୦ ମସିହା ପରେ ଡେଲ୍ଟାର ପାଣିର ଲବଣାଂଶ ପ୍ରାୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁଥିପାଇଁ ଚାଷ କରିବା ଅସମ୍ଭବ ହୋଇପଡ଼ିଛି ।