ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁନିଆର ମୋଟ୍ ୪୩ ଦେଶ ଉପରେ ଯାତ୍ରା କଟକଣା ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି । ଏହି ଦେଶଗୁଡିକରେ ଆଫଗାନିସ୍ତାନ, ପାକିସ୍ତାନ, ରୁଷ ସମେତ ଅନେକ ବଡ ବଡ ଦେଶ ସାମିଲ । ତାଲିକାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ରେଡ୍, ଅରେଞ୍ଜ, ୟେଲୋ ।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ଦେଶଗୁଡିକୁ ତିନୋଟି ତାଲିକାରେ ବିଭାଜିତ କରାଯାଇଛି । ରେଡ ତାଲିକାରେ ଥିବା ଦେଶର ଅର୍ଥ ଏହି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ରହିବ । ଭାରତର ପଡୋଶୀ ଦେଶ ପାକିସ୍ତାନକୁ ଅରେଞ୍ଜ ତାଲିକାରେ ସାମିଲ କରାଯାଇଛି । ରୁଷ ମଧ୍ୟ ଏହି ତାଲିକାରେ ରହିଛି । ଅରେଞ୍ଜ ତାଲିକାରେ ମୋଟ୍ ୧୦ ଦେଶ ସାମିଲ, ଯାହାଙ୍କ ନାଗରିକଙ୍କ ଉପରେ ଆଂଶିକ କଟକଣା ରହିବ । ଏତି ତାଲିକାରେ ଥିବା ଦେଶର ପ୍ରଭାବଶାଳୀ ବ୍ୟକ୍ତି ଓ ଉଦ୍ୟୋଗପତିଙ୍କ ଆମେରିକା ଗମନାଗମନରେ କୌଣସି କଟକଣା ଲାଗିବ ନାହିଁ । କେବଳ ପ୍ରବାସୀ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିବ ।
କଣ ଏହି ଅରେଞ୍ଜ ଓ ରେଡ୍ ତାଲିକା
ଅରେଞ୍ଜ ତାଲିକାରେ ଥିବା ପାକିସ୍ତାନ, ରୁଷ, ମିଆଁମାର, ବେଲାରୁଷ, ହାଇତି, ଏରିଟ୍ରି, ସିଏରା ଲିୟୋନ, ଦକ୍ଷିଣ ସୁଦାନ ଓ ତୁର୍କମେନିସ୍ତାନର ନାଗରିକଙ୍କୁ ଆମେରିକାରେ ପ୍ରବେଶ ପୂର୍ବରୁ ବ୍ୟକ୍ତିଗତ ସାକ୍ଷାତକାର ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଅନ୍ୟପଟେ ୧୦ ଦେଶକୁ ରେଡ ତାଲିକାଭୁକ୍ତ କରାଯାଇଛି । ଏଥିରେ ସାମିଲ ନାଗରିକଙ୍କୁ ଆମେରିକାରେ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ରହିବ । ଏହି ଦେଶରେ ଆଫଗାନିସ୍ତାନ ଓ ଭୁଟାନ ସାମିଲ ।
ରେଡ୍ ତାଲିକାରେ ଥିବା ଅନ୍ୟ ଦେଶ ହେଉଛନ୍ତି କ୍ୟୁବା, ଇରାନ, ଲିବ୍ୟା, ଉତ୍ତର କୋରିଆ, ସୋମାଲିଆ, ସୁଡାନ, ସିରିୟା, ଭେନେଜୁଏଲା ଓ ୟମନ ସାମିଲ । ଅନ୍ୟପଟେ ୨୨ ଦେଶକୁ ୟେଲୋ ତାଲିକାଭୁକ୍ତ କରିଛି ଟ୍ରମ୍ପ ପ୍ରଶାସନ । ଏଥିରେ ସାମିଲ ଦେଶକୁ ଅବଗତ କରାଯିବ ଯେ, ସେମାନେ ନିଜର ତ୍ରୁଟିକୁ ସୁଧାରି ଦିଅନ୍ତୁ ତେବେ ଯାଇ କଟକଣାରୁ ବର୍ତ୍ତି ପାରିବେ ।
ୟେଲୋ ତାଲିକାରେ କେଉଁ ଦେଶ
୬୦ ଦିନର ସମୟ ସୀମା ଭିତରେ ଯଦି ତ୍ରୁଟି ସୁଧାରି ନ ପାରନ୍ତି ତେବେ ଏହି ତାଲିକାରେ ସାମିଲ ଦେଶର ନାଗରିକକୁ କଟକଣାର ସମ୍ମୁଖୀନ ହେବାକୁ ପଡିବ । ଏହି ତାଲିକାରେ ଥିବା ଦେଶକୁ ସମୟ ସମୟରେ ପଚରାଯିବ ଯେ, କେଉଁ ଧରଣର ଯାତ୍ରୀ ଆମେରିକା ଆସୁଛନ୍ତି । ପାସପୋର୍ଟ ଜାରି କରିବାରେ କୌଣସି ଗଡବଡ ନାହିଁ ତ । ଯଦି ଏହି ସବୁ ତ୍ରୁଟି ଦୂର କରି ଦେଲେ ଉକ୍ତ ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିବ ନଚେତ୍ ନାହିଁ ।
ଏହି ତାଲିକାରେ ଅଙ୍ଗୋଲା, ଆଣ୍ଟିଗୁଆ, ବାରବୁଡା, କମ୍ବୋଡିଆ, କ୍ୟାମେରୁନ, ଚାଡ, କୋଙ୍ଗୋ, ମାଲି, ଲାଇବେରିଆ, ଭାନୁଆତୁ, ଜିମ୍ବାୱେ ଆଦି ଦେଶ ସାମିଲ । ଏହା ଦ୍ୱିତୀୟ ଥର ଡୋନାଡ୍ଡ ଟ୍ରମ୍ପ ଯାତ୍ରା କଟକଣା ଲଗାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ନିଜର ପ୍ରଥମ କାର୍ଯ୍ୟକାଳରେ ମୁସଲିମ ବହୁଳ ୭ ଦେଶଙ୍କ ନାଗରିକଙ୍କ ଉପରେ ଆମେରିକା ଯାତ୍ରା ଉପରେ କଟକଣା ଲଗାଇଥିଲେ । ଏହି ଦେଶଗୁଡିକ ଥିଲେ ଇରାନ, ଇରାକ, ଲିବୟା, ସୋମାଲିଆ, ସୁଦାନ, ସିରିୟା ଓ ୟମନ ।