ନୂଆଦିଲ୍ଲୀ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ ରେ ଏକ ଭୟାନକ ଦୁଃଖଦ ଘଟଣା ଘଟିଛି । ଏକ ସ୍କୁଲ ବସରେ ନିଆଁ ଲାଗି ଯିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହା ସହିତ ୧୬ ଜଣଙ୍କ ଅବସ୍ଥା ସଙ୍ଗୀନ ଅଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣା ପଡ଼ିଛି । ଏ ନେଇ ସେଠାକାର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମଙ୍ଗଳବାର ଏକ ସ୍କୁଲ ବସରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ମିଶାଇ ୪୪ ଜଣ ଯାତ୍ରା କରୁଥିଲେ । ବସଟି ୟୁଥାଈରୁ ଅୟୁଥୟାକୁ ଯାଉଥିଲା । ଅପରାହ୍ନ ୧୨ଟା ୩୦ (ସେଠାକାର ସମୟ)ରେ ରାଜଧାନୀର ଉତ୍ତର ଉପନଗର ପଥୁମ ଥାନୀ ନିକଟରେ ବସରେ ହଠାତ ନିଆଁ ଲାଗିଥିଲା । ନିଆଁର ତେଜ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ପୁରା ବସରେ ବ୍ୟାପି ଯାଇଥିଲା । ବସରୁ ଏତେ ଉତ୍ତାପ ବାହାରିଥିଲା ଯେ ତୁରନ୍ତ କାହାକୁ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଥିଲା । ଫଳରେ ସେଥିରେ ଯାତ୍ରା କରୁଥିବା ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହା ସହିତ ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ତୁରନ୍ତ ଫାୟାର ଟିମ୍ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ବସଟି ଗରମ ଥିବାରୁ ମୃତ ଦେହ ଗୁଡ଼ିକୁ ବାହାରକୁ ଅଣାଯାଇ ପାରି ନ ଥିଲା ।