ଲଗାତାର ୩ ବର୍ଷ ହେଲା ଡେଙ୍ଗୁ ହଟସ୍ପଟ ପାଲଟିଛି ଶୈଳଶ୍ରୀ ବିହାର ଓ ନୀଳାଦ୍ରିବିହାର | ଅବ୍ୟବହୃତ ଘର, ପାର୍କ, ଆବର୍ଜନା ପାଣି କୁଣ୍ଡ ଆଦି ସାମଗ୍ରୀ ଡେଙ୍ଗୁ ସୃଷ୍ଟିକାରୀ ମଶାଙ୍କ ବାସସ୍ଥଳୀ ହୋଇଥିଲେ ମଧ୍ୟ ତାହାର ମୂଳଘାଟନ କରିବାରେ ବିଏମ୍ସି ସମ୍ପୂର୍ଣ ବିଫଳ ହୋଇଛି। ବର୍ଷା ଆସିବା ପୂର୍ବରୁ ବିଏମ୍ସି ଯେଉଁ ପଦକ୍ଷେପ ନେବା କଥା, ତାହା ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ଭାବେ ଦେଖିବାକୁ ମିଳୁନି। ଲୋକଙ୍କୁ ସଚେତନ କରାଯାଉ ନାହିଁ କି ମଶାବଂଶ ଲୋପ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । କେବଳ ଯାହା ଘୋଷଣାରେ ସୀମିତ ରହିଛି ବିଏମସିର କାମ |
ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ବିଏମସି ତତ୍ପରତା ଦେଖାଉନାହିଁ। ଘର ଘର ସମ୍ପର୍କ ଅଭିଯାନ କରି ଲୋକଙ୍କୁ ଡେଙ୍ଗୁ ବିଷୟରେ ଅବଗତ କରିବାକୁ ଘୋଷଣା କରାଯାଇଥିଲା । ତାହା ଏବେ ନାମକୁ ମାତ୍ର ହୋଇଛି । ମଶା ଉତ୍ସ ଖୋଜିବାକୁ ଡ୍ରୋନ ଉଡ଼ାଇଥିଲେ ମଧ୍ୟ ତାହା କିଛି କାମରେ ଲାଗିପାରି ନ ଥିଲା। ଡେଙ୍ଗୁ କମିବା ପରିବର୍ତ୍ତେ ବୃଦ୍ଧି ପାଇବା ଏବେ ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ସେହିପରି ମଶା ତେଲ ଓ ଧୂଆଁ ପାଇଁ ଔଷଧ, ପେଟ୍ରୋଲ ଓ ଅନ୍ୟାନ୍ୟ ତେଲ ପାଇଁ ମାସକୁ ୧୦ ଲକ୍ଷ ପାଖାପାଖି ଖର୍ଚ୍ଚ ହେଉଛି ଏବଂ ସଚେତନତା ପାଇଁ ବିଏମ୍ସି କର୍ମଚାରୀ, ସ୍ବଚ୍ଛସାଥୀ, ଡାକ୍ତର,ସ୍ବାସ୍ଥ୍ୟକର୍ମୀ ଲାଗିଛନ୍ତି। ବିଭିନ୍ନ ଜାଗା ବୁଲି ମଶା ଉତ୍ସ ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଟିମ୍ ରହିଛି। ତେବେ ଏଗୁଡ଼ିକ ଏବେ କିଭଳି କାମ କରୁଛି ତାହାର ଏକ ଉଦାହରଣ ଭାବେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳକୁ ନିଆଯାଇପାରେ ତିନି ଦିନ ମଧ୍ୟରେ ଥରୁଟିଏ ବି ମଶା ଧୂଆଁ ଗାଡ଼ିକୁ ଲୋକେ ଦେଖିବାକୁ ପାଇ ନାହାନ୍ତି। ପୂର୍ବରୁ ଯେବେ ଗାଡ଼ି ଆସିଛି ତାହା ବେଗ ଏତେ ରହୁଛି ଯେ ଧୂଆଁ କୁଆଡ଼େ ଯାଉଛି ତାହା ଭଗବାନଙ୍କୁ ହିଁ ଜଣା। ସପ୍ତାହେ ହେଲା ବିଏମସି ୮ ନମ୍ବର ୱାର୍ଡରେ ସଚେତନତା ହୋଇ ନାହିଁ କି ମଶା ଉତ୍ସ ଯାଞ୍ଚ କରାଯାଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।
ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର ପରି ଏବେ ସାଲିଆସାହି ଡେଙ୍ଗୁର ଅନ୍ୟତମ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ଅଗଷ୍ଟ ମାସରେ ଡେଙ୍ଗୁ ସଂକ୍ରମଣ ଏତେ ହେଲା ଯେ ଲୋକେ ତ୍ରାହିତ୍ରାହି ଡାକିଲେ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଅଞ୍ଚଳବାସୀଙ୍କ ମନରେ ଛନକା ସୃଷ୍ଟି କରିଥିଲା। ଚନ୍ଦ୍ରଶେଖରପୁର, ପଟିଆ ଚଳିତବର୍ଷ ବିଏମସିର ରେଡ ଜୋନରେ ରହିଛି। ପଟିଆରେ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୨୦୦ ପାର୍ ହୋଇଥିବା ବେଳେ ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାରରେ ସରକାରୀ ଭାବେ ଶତାଧିକ ଆକ୍ରାନ୍ତ ଏଯାଏ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ସରକାରୀ ଭାବେ ଭୁବନେଶ୍ଵରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୦ କୁହାଯାଉଥିବା ବେଳେ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା କଥା ଜଣାନାହିଁ। ଚନ୍ଦ୍ରଶେଖରପୁର,ଇନ୍ଫୋସିଟି, ମୈତ୍ରୀବିହାର ଥାନା ଅଞ୍ଚଳରେ ଡେଙ୍ଗୁ କାୟା ମେଲାଇ ଚାଲିଛି। ପ୍ରତିଦିନ କୌଣସି ନା କୌଣସି ଘରୁ ଜଣେ କିମ୍ବା ଦୁଇ ଜଣ ଜ୍ଵରରେ ପୀଡ଼ିତ ହେଉଛନ୍ତି । ଅଧିକାଂଶ ଲୋକ ଘରୋଇ ପାଥୋଲ୍ୟାବ୍ରେ ଡେଙ୍ଗୁ ପରୀକ୍ଷା କରୁଥିବାରୁ ସେମାନଙ୍କ ହିସାବ ସ୍ବାସ୍ଥ୍ୟ କିମ୍ବା ବିଏମ୍ସି ଅଧିକାରୀଙ୍କ ପାଖରେ ନାହିଁ। କେବଳ କ୍ୟାପିଟାଲ ହସ୍ପିଟାଲ, ଆରଏମ୍ଆରସି, ଏମ୍ସ ସମେତ ଦୁଇଟି ପିଏଚ୍ସିରେ ସରକାରୀ ଭାବେ ଡେଙ୍ଗୁ ପରୀକ୍ଷା ରିପୋର୍ଟ ଆଧାରରେ କେତେ ଆକ୍ରାନ୍ତ ହେଲେ ରିପୋର୍ଟ ପ୍ରଦାନ କରାଯାଉଛି। ହେଲେ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ପଦାକୁ ଆସୁ ନ ଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି।
ଅଧିକ ପଢ଼ନ୍ତୁ :ସୁନ୍ଦରଗଡ଼ରେ ଆଜି ପୁଣି ୬ ନୂଆ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି