ସାଧାରଣତଃ ମହିଳାମାନେ ମାସିକ ଧର୍ମ ବା ଋତୁସ୍ରାବ (ପିରିଅଡ୍ସ)କୁ କିଛି ଦିନ ଅଟକାଇବାକୁ ଔଷଧ ସେବନ କରିଥାଆନ୍ତି । ବିଶେଷ କରି କୌଣସି କାର୍ଯ୍ୟକ୍ରମ କିମ୍ବା ପୂଜା ପର୍ବ ଥିଲେ ସିଏ ମହିଳା ହୁଅନ୍ତୁ କିମ୍ବା ଯୁବତୀମାନେ ଋତୁସ୍ରାବକୁ ଅଟକାଇବାକୁ ଔଷଧ ଖାଇଥାଆନ୍ତି । ଏହି ଔଷଧ ମେଡ଼ିସନ୍ ଷ୍ଟୋରରେ ସହଜରେ ଉପଲବ୍ଧ ହୋଇଥାଏ । ମହିଳାମାନେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡ଼ିସିନ୍ ଷ୍ଟୋରରୁ ଔଷଧ କିଣି ଖାଇଦେଥାଆନ୍ତି । କିନ୍ତୁ ଏହା ଶରୀର ପାଇଁ କେତେ ଯେ ହାନିକାରଣ ହୋଇଥାଏ ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଜଣେ ଭ୍ୟାସ୍କୁଲାର ସର୍ଜନ ଡାକ୍ତର ବିବେକାନନ୍ଦଙ୍କ କହିବା ମୁତାବକ ତାଙ୍କ ନିକଟକୁ ଜଣେ 18 ବର୍ଷିୟା ଯୁବତୀ ଆସିଥିଲେ । ତାଙ୍କ ଜଙ୍ଘରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲେ । ପରେ ଜଣାପଡ଼ିଥିଲା ଘରେ କୌଣସି ପୂଜା ପାଇଁ ସେ ଗତ ତିନି ଦିନ ହେବ ପିରିଅଡ୍ସ ରୋକିବାକୁ ମେଡ଼ିସିନ୍ ଖାଉଥିଲେ । ଚିକିତ୍ସା ସମୟରେ ପରିବାର ଲୋକେ କହିଥିଲେ ଉକ୍ତ ଯୁବତୀ ଜଣକ ଡିପ୍ ଭେନ୍ ଥ୍ରୋମ୍ବୋସିଅସ୍ (ରକ୍ତ ଜମାଟ) ରୋଗରେ ପୀଡ଼ିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତର ତୁରନ୍ତ ଆଡମିଟ୍ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକ ନ ଶୁଣି ଝିଅକୁ ଘରକୁ ଫେରାଇ ନେଇଥିଲେ । ବିଳମ୍ବିତ ରାତିରେ ଝିଅଟି ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିଲା । ତାକୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ସବୁକିଛି ସରି ଯାଇଥିଲା । ଝିଅଟି ଆଖିବୁଜି ଦେଇଥିଲା । ସେଥିପାଇଁ ସମସ୍ତ ମହିଳା କିମ୍ବା ଯୁବତୀ ଏହି ମେଡ଼ିସିନ୍ ଖାଇବା ଉଚିତ୍ ନୁହେଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ସେହିପରି ଆପୋଲୋ ମେଡ଼ିକାଲର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କହିବା ମୁତାବକ, ମାସିକ ଧର୍ମ ଅଟକାଇବାକୁ ମହିଳାମାନେ ହର୍ମମୋନ୍ ଔଷଧ ସେବନ କରୁଛନ୍ତି । ଏହା ଶରୀରେ ହରମୋନ ବଦଳାଇବାରେ କାମ କରେ, ଫଳରେ ପିରିୟଡ୍ସକୁ ଅଟକାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହା ରକ୍ତକୁ ବହଳିଆ କରିଦେଇଥାଏ । ତେଣୁ ଯେଉଁମାନେ ରକ୍ତ ଜମାଟ ବାନ୍ଧିବା ବା ଥ୍ରୋମ୍ବୋସିସ୍ ରୋଗରେ ପୀଡ଼ିତ ଅଛନ୍ତି, ସେମାନେ ଏଭଳି ମେଡିସିନ୍ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ସେମାନଙ୍କ ପାଇଁ ଏହି ଔଷଧ ଜୀବନ ନାଶକ ହୋଇପାରେ । କାରଣ ଏହା ରକ୍ତ ପ୍ରବାହ ବନ୍ଦ ମଧ୍ୟ କରିଦେଇପାରେ । କିମ୍ବା ମସ୍ତିଷ୍କକୁ ରକ୍ତ ପ୍ରବାହ ବନ୍ଦ କରିଦେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଥାଏ ।
ଡିପ୍ ଭେନ୍ ଥ୍ରୋମ୍ବୋସିସ୍ (ଡିଭିଟି) ରୋଗ
ଡିଭିଟି ହେଉଛି ଏକ ଏଭଳି ପ୍ରକାର ରୋଗ, ଯେଉଁଥିରେ ଶରୀରରେ ଥିବା ନାଡ଼ି ଗୁଡ଼ିକରେ ରକ୍ତ ଜମାଟ ବାନ୍ଧିଥାଏ । ଏହା ଦ୍ୱାରା ଯଦି ଶରୀରରେ କିଛି ଆଘାତ ଲାଗେ କିମ୍ବା କଟିଯାଏ, ତେବେ ଅତ୍ୟନ୍ତ ବହଳିଆ ରକ୍ତ ବାହାରେ । ଫଳରେ ଏହା ରକ୍ତ ବୋହିବାକୁ ବନ୍ଦ କରିଦିଏ । ଏହି ସମସ୍ୟା ବିଶେଷ କରି ଗୋଡ଼ ପେଣ୍ଡା, ଜଙ୍ଘରେ ହୋଇଥାଏ । ଏହା ସହିତ ଶରୀର ଅନ୍ୟ ଅଂଶରେ ମଧ୍ୟ ଡିଭିଟି ସମସ୍ୟା ଦେଖା ଦେଇଥାଏ ।
ଡିଭିଟିର କାରଣ
ଏହି ରୋଗରେ ଅନେକ କାରଣ ରହିଛି । ଯେପରିକି ବଂଶାନୁଗତ, କ୍ୟାନସର କେମୋଥେରାପି, କୌଣସ ଅସ୍ତ୍ରୋପଚାର ପରେ ଏଭଳି ସମସ୍ୟା ଦେଖାଯିବା, ଲମ୍ବା ସମୟ ଧରି ଯାତ୍ରା କଲେ, ଗର୍ଭବତୀ ହେବା, ୪୦ବର୍ଷରୁ ଉର୍ଦ୍ଧ୍ୱ ବୟସ ହୋଇଥିଲେ, ମୋଟାପଣ, ତମ୍ବାଖୁ ସେବନ ଏବଂ ଗର୍ଭ ନିରୋଧକ ଭଳି ଔଷଧ ସେବନ କରିବା ।
ଲକ୍ଷଣ
ଏହାର ଲକ୍ଷଣ ହେଉଛି ହାତ କିମ୍ବା ଗୋଡ଼ରେ ଫୁଲିଯିବା ଏବଂ ଅଚାନକ ଯନ୍ତ୍ରଣା ହେବା, ଗୋଡ଼ର ନାଡ଼ି ଗୁଡ଼ିକ ନାଲି ରଙ୍ଗ ଦେଖାଯିବା, ଶରୀର ସେହି ଅଂଶ ଗରମ ଲାଗିବା ଇତ୍ୟାଦି । ସେହିପରି ଯଦି ପେଟରେ ଯଦି ରକ୍ତ ଜମାଟ ବାନ୍ଧେ ତାହା ହେଲେ ତାହାର ସିଧାସଳଖ ପ୍ରଭାବ ଅଣ୍ଟା କିମ୍ବା ପେଟର ପଡ଼ିଥାଏ ଏବଂ ଯନ୍ତ୍ରଣା ହୋଇଥାଏ । ଏପରି କାଶ ହୋଇ ରକ୍ତ ପଡ଼ିବା, ମୁଣ୍ଡ ବୁଲାଇବା ଏବଂ ଚେତାଶୂନ୍ୟ ହୋଇପଡ଼ିବା । ଏମିତିକି ବେଳେ ଛାତିରେ ଯନ୍ତ୍ରଣା ହୋଇଥାଏ ।
ବିଶେଷ ଦ୍ରଷ୍ଟବ୍ୟ- ଏହା ଆମର ନିଜସ୍ୱ ମତ ନୁହେଁ । କିନ୍ତୁ ଯଦି ଆପଣ ଏପରିକିଛି ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।