ଆଜି ହେଉଛି ଜାତୀୟ କର୍କଟ ସଚେତନତା ଦିବସ । ବିଶ୍ବ ସ୍ତରରେ କର୍କଟ ଏକ ଗମ୍ଭୀର ରୋଗ ଭାବରେ ଉଭା ହୋଇଛି | ସାରା ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ତନ୍ମଧ୍ୟରୁ ପାଖାପାଖି ଅଧା ଲୋକ ତ କେବଳ ଅଳ୍ପ ବୟସରେ ଅର୍ଥାତ୍, ୩୦ ରୁ ୪୦ ବର୍ଷ ବୟସ ମଧ୍ୟରେ ପ୍ରାଣ ହରାଇ ଥାଆନ୍ତି । ଛୋଟ ଛୋଟ ପିଲା ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥାନ୍ତି | ଭାରତରେ ମଧ୍ୟ କ୍ୟାନସର ଜନିତ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି | ତେଣୁ ଦେଶରେ କର୍କଟ ରୋଗ ପ୍ରତି ସଚେତନତା ବୃଦ୍ଧି କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ 'ଜାତୀୟ କର୍କଟ ସଚେତନତା ଦିବସ' ପାଳନ ହୋଇଥାଏ । କାରଣ କର୍କଟ ହେଉଛି ଏପରି ଏକ ମାରାତ୍ମକ ରୋଗ ଯାହା ସହଜେ ଭଲ ହୋଇନଥାଏ ଆଉ ଖୁବ କମ ସମୟରେ ରୋଗୀକୁ ମୃତ୍ୟୁ ମୁଖକୁ ଟାଣିନେଇଥାଏ |
ଏହି ରୋଗର ଲକ୍ଷଣ ଶେଷ ଅବସ୍ଥାରେ ଯାଇ ଚିହ୍ନଟ ହୋଇଥାଏ | କର୍କଟ ଯୋଗୁଁ କେତେ ପରିବାର ନଷ୍ଟ ହୋଇଯାଇଛି | ତେବେ ଏହି ଦିନ ପାଳନ କରିବାର ମୁଖ୍ୟ ଉଦେଶ୍ୟ ହେଉଛି କିପରି ଏହି ରୋଗକୁ ପ୍ରତିହତ କରିହେବ ତଥା ମୃତ୍ୟୁ ମୁଖରୁ କେମିତି ନିଜ ଜୀବନକୁ ବଞ୍ଚାଇ ହେବ | ସେନେଇ ବିଶ୍ଵବ୍ୟାପୀ କର୍କଟ ରୋଗର ନିଦାନ ଓ ନିରାକରଣ ପାଇଁ ଚିକିତ୍ସା ବିଜ୍ଞାନକୁ ବିକଶିତ କରାଯାଉଥିବା ବେଳେ ଭାରତରେ ପ୍ରତିବର୍ଷ ଏହି ଦିନକୁ ଜାତୀୟ କର୍କଟ ସଚେତନତା ଦିବସ ରୂପେ ପାଳନ କରାଯାଉଛି। ଏହି ଦିନ କ୍ୟାନସରକୁ ନେଇ ଅନେକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । କର୍କଟ ରୋଗକୁ ରୋକିବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ମଧ୍ୟ ନିହାତି ଆବଶ୍ୟକ ଅଟେ।
କର୍କଟ ରୋଗ ଅନେକ ପ୍ରକାରର ହୋଇଥାଏ । ବ୍ରେଷ୍ଟ କ୍ୟାନସର,ପ୍ରୋଷ୍ଟେଟ୍ କ୍ୟାନସର, ଫୁସଫୁସ କ୍ୟାନସର, ବୃହଦାନ୍ତ୍ର କ୍ୟାନସର, ପାକସ୍ଥଳୀ କ୍ୟାନସର, ଯକୃତ କ୍ୟାନସର,ଥାଇରଏଡ କ୍ୟାନସର, ଜନନେନ୍ଦ୍ରିୟ କ୍ୟାନସର ଭଳି ଅନେକ ପ୍ରକାର କ୍ୟାନସର ରୋଗ ରହିଛି | ଏହି ରୋଗ ମନୁଷ୍ୟ ଶରୀରର ବିଭିନ୍ନ ସ୍ଥାନରେ ହୋଇଥାଏ । ପୁରୁଷମାନେ ସାଧାରଣତଃ ଫୁସଫୁସ,ବୃହଦାନ୍ତ୍ର,ପାକସ୍ଥଳୀ,ଯକୃତ ଜନିତ କ୍ୟାନସର ରୋଗର ଶିକାର ହୋଇଥିବାବେଳେ ମହିଳାମାନେ ବ୍ରେଷ୍ଟ କ୍ୟାନସର, ଫୁସଫୁସ କ୍ୟାନସର, ଗର୍ଭାଶୟ କ୍ୟାନସର, ଥାଇରଏଡ କ୍ୟାନସର, ଜନନେନ୍ଦ୍ରିୟ କ୍ୟାନସରରେ ଆକ୍ରାନ୍ତ ହୋଇଥାନ୍ତି । ପିଲାମାନେ ମଧ୍ୟ କର୍କଟ ରୋଗରୁ ବର୍ତ୍ତି ନଥାନ୍ତି । ପିଲାଙ୍କ କ୍ଷେତ୍ରରେ ରକ୍ତ କର୍କଟ, ମସ୍ତିଷ୍କ ଟ୍ୟୁମର ଓ ଲିମ୍ଫେମା ଆଦି କର୍କଟ ରୋଗ ଦେଖା ଦେଇଥାଏ ।
କର୍କଟ ରୋଗର ଶୀଘ୍ର ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ୨୦୧୪ ମସିହାରେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଦ୍ବାରା ପ୍ରଥମ କରି ଜାତୀୟ କର୍କଟ ସଚେତନତା ଦିବସ ଆରମ୍ଭ ହୋଇଥିଲା । ଆଉ ସେହିଦିନ ଠାରୁ ନଭେମ୍ବର ୭ କୁ ଜାତୀୟ କର୍କଟ ସଚେତନତା ଦିବସ ପାଳନ ପାଇଁ ମନୋନୀତ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିବାନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ କର୍କଟର ଚିହ୍ନଟ ହୋଇ ପାରିଲେ, ଏହାର ଚିକିତ୍ସା ସମ୍ଭବପର ହୋଇଥାଏ । ତେବେ ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଲୋକଙ୍କୁ ସଚେତନ ହେବାକୁ ପଡିବ | କେବଳ ସଚେତନତା ଦ୍ବାରା ହିଁ ଏହି ରୋଗକୁ ରୋକା ଯାଇପାରିବ ବୋଲି କର୍କଟ ବିଶେଷଜ୍ଞ କହିଛନ୍ତି |
ଅଧିକ ପଢ଼ନ୍ତୁ : ଆଜି ହେଉଛି ବିଶ୍ୱ ସୁନାମି ସଚେତନତା ଦିବସ