ଏହି ଭୁଲ ଯୋଗୁଁ ନଷ୍ଟ ହୋଇପାରେ ଆପଣଙ୍କ କେଶ
Khabar Odisha:This-mistake-can-ruin-your-hair
ଓଡ଼ିଶା,ନଭେମ୍ବର 30 (ଖବର ଓଡ଼ିଶା):

 ଶୀତ ଦିନ ଆସିଲେ ସମସ୍ତଙ୍କ ଚିନ୍ତା ବଢ଼ିଯାଏ। ଶୁଷ୍କ ଜଳବାୟୁ ଯୋଗୁଁ ଉଭୟ କେଶ ଓ ତ୍ଵଚା ରୁକ୍ଷ ହୋଇଯାଏ । ସୁରକ୍ଷିତ, କଳା, ଲମ୍ବା, ଘନ କେଶ ଥିଲେ ବ୍ୟକ୍ତିର ଆତ୍ମବିଶ୍ଵାସ ବଢ଼ିଥାଏ। ହେଲେ ବର୍ତ୍ତମାନ ଜଳବାୟୁ, ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଅଧିକାଂଶ ଲୋକଙ୍କ କେଶକୁ ନଷ୍ଟ କରିଦେଉଛି। ବର୍ତ୍ତମାନ ସମୟରେ ପ୍ରାୟ ଲୋକ ଅସମୟରେ ଚନ୍ଦାପଣ, ପତଳା କେଶ, ଦୋମୁହାଁ କେଶ, ରୁପି ସମସ୍ୟା, ରୁକ୍ଷ ଓ ଶୁଷ୍କ କେଶ ଏବଂ ଅତ୍ୟଧିକ କେଶ ଝଡ଼ିବା ସମସ୍ୟାରେ ସମ୍ମୁଖୀନ ହୋଉଛନ୍ତି। ତେବେ, କେଶକୁ କିପରି ସୁସ୍ଥ ଓ କୋମଳ ରଖିପାରିବେ, ତାହା ଜାଣିରଖନ୍ତୁ। ଅଧିକାଂଶ ସମୟରେ କେଶରେ ଡ୍ରାୟର, କର୍ଲର, ଆଇରନ୍ ଭଳି ଉପକରଣ ବ୍ୟବହାର କରିବା ଦ୍ୱାରା କେଶ ଛିଣ୍ଡିଯାଏ ଓ ଶୁଷ୍କ ମଧ୍ୟ ହୋଇଥାଏ। ଏହାଛଡ଼ା ବାରମ୍ବାର କେଶ ଧୋଇବା, କେଶରେ କେମିକାଲଯୁକ୍ତ ରଙ୍ଗର ପ୍ରୟୋଗ କରିବା ଦ୍ୱାରା, ଅନ୍ୟାନ୍ୟ ଶାରୀରିକ ସମସ୍ୟା ପାଇଁ ଔଷଧ ଖାଇବା ଦ୍ଵାରା କେଶ ଝଡ଼ିଥାଏ ଓ ଦୁର୍ବଳ ହୋଇଯାଏ।

କେମିତି ନେବେ କେଶର ଯତ୍ନ?

କେଶର ପ୍ରକାର ଭେଦ ଅନୁସାରେ ଭଲ ସାମ୍ପୋର ଚୟନ କରନ୍ତୁ। କେତେକ ସାମ୍ପୋରେ ସଲଫେଟ୍ ବ୍ୟବହୃତ ହୋଇଥାଏ, ଯାହା ସର୍ଫ ବା ଡିଟରଜେଣ୍ଟ ପାଇଁ ବ୍ୟବହୃତ ହୋଇଥାଏ। ଏହା କେଶକୁ ଭଲ ଭାବରେ ସଫା କରିଥାଏ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ, କାରଣ ଏହା କେଶକୁ ସଫା ତ କରେ, ହେଲେ କେଶ ନଷ୍ଟ ମଧ୍ୟ କରିଥାଏ। ତେଣୁ ସବୁବେଳେ ସଲ୍‌ଫେଟ୍ ମୁକ୍ତ ସାମ୍ପୋ ବ୍ୟବହାର କରନ୍ତୁ।

ସାମ୍ପୋ କରିସାରିବା ପରେ ଭଲ କଣ୍ଡିସନର ବ୍ୟବହାର କରନ୍ତୁ।

ଶୁଷ୍କ ଓ ଦୁର୍ବଳ କେଶ ଛିଣ୍ଡିଯିବାର ସମ୍ଭାବନା ଅଧିକ ଥାଏ। ଏଭଳି କ୍ଷେତ୍ରରେ ସବୁବେଳେ ବଡ଼ ଦାନ୍ତ ପାନିଆ ବ୍ୟବହାର କରନ୍ତୁ। କେବେ ଓଦା କେଶକୁ କୁଣ୍ଡାନ୍ତୁ ନାହିଁ। କେଶ ଓଦା ଥିବା ବେଳେ ତାହାର ମୂଳ ଦୁର୍ବଳ ଥାଏ, ଯାହା ସହଜରେ ଉପୁଡ଼ିଯିବାର ଆଶଙ୍କା ଥାଏ।

ସବୁବେଳେ କେଶ ଶୁଖିଗଲା ପରେ କେଶକୁ ବଡ଼ ପାନିଆରେ କୁଣ୍ଡାନ୍ତୁ। କେଶ କୁଣ୍ଡାଇବା ବେଳେ ପ୍ରଥମେ ତଳ ଆଡ଼ୁ ଜଟ ଛିଣ୍ଡାନ୍ତୁ, ଧୀରେ ଧୀରେ ମୂଳରୁ କୁଣ୍ଡାନ୍ତୁ। ଏଭଳି କରିବା ଦ୍ୱାରା କେଶ ବେଶି ଉପୁଡ଼ିନଥାଏ।

ଓଦା କେଶକୁ କେବେହେଲେ ବାନ୍ଧନ୍ତୁ ନାହିଁ।

ଆପଣଙ୍କ କେଶ ଶୁଷ୍କ ହୋଇଥିଲେ ସପ୍ତାହରେ ଦୁଇ ଥର ସଫା କରନ୍ତୁ। ବାରମ୍ବାର କେଶ ଧୋଇଲେ କେଶ ଅଧିକ ଶୁଷ୍କ ହୋଇଯାଏ।କେଶକୁ ସବୁବେଳେ ଥଣ୍ଡା ପାଣିରେ ଧୁଅନ୍ତୁ। ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣିରେ କେଶ ଧୁଅନ୍ତୁ ନାହିଁ।ଯେତେ କମ୍ ଷ୍ଟାଇଲିଂ ପ୍ରଡକ୍ଟର ବ୍ୟବହାର କରିପାରିବେ। ବର୍ତ୍ତମାନ ପାର୍ଲରରେ କରାଯାଉଥିବା ଷ୍ଟ୍ରେଟ୍‌ନିଂ, ସ୍ମୁଥ୍‌ନିଂ, କେଶ ସିଧା କରିବା ପାଇଁ ଆଇରନ୍‌ର ବ୍ୟବହାର କରନ୍ତୁ ନାହିଁ।

କେଶରେ ନଡ଼ିଆ ତେଲ, ବାଦାମ ତେଲ, ଜଡ଼ା ତେଲ କିମ୍ବା ରାଶି ତେଲର ବ୍ୟବହାର କରିପାରିବେ।

ପ୍ରାକୃତିକ କେଶ ମାସ୍କ ଯେପରିକି ଅଣ୍ଡା, ମେଥି, ଘିକୁଆଁରି ବ୍ୟବହାର କରିପାରିବେ। ଏହା କେଶକୁ କୋମଳ ଓ ଚିକ୍କଣ ରଖିଥାଏ।

ତିନି ମାସ ବ୍ୟବଧାନରେ କେଶର ଟ୍ରିଂମିଂ କରାଇନିଅନ୍ତୁ। ମଝିରେ ମଝିରେ କେଶ କାଟିବା ଦ୍ୱାରା କେଶ ଭଲ ଦେଖାଯାଇଥାଏ।

ଖାଦ୍ୟରେ ତାଜା ଫଳ, ସବୁଜ ପନିପରିବା, ଓମେଗା-୩ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ପନିର, ଛେନା, ଅଣ୍ଡା, ଅଖରୋଟ୍‌, ପାଳଙ୍ଗରେ ଓମେଗା-୩ ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ଥାଏ, ଯାହା କେଶକୁ ଶୁଷ୍କ ହେବାକୁ ଦିଏ ନାହିଁ। ଏହାସହ ଆପଣ ଡାକ୍ତରଙ୍କ ପରାମର୍ଶ କ୍ରମେ ଓମେଗା-୩ ଫ୍ୟାଟି ଏସିଡ୍‌ର ସପ୍ଲିମେଣ୍ଟ ନେଇପାରିବେ।

  • Tags:

Subscribe

National International State Sports Entertainment