ଭୁବନେଶ୍ୱର: ଆଜି ହେଉଛି ଜାତୀୟ କ୍ୟାନ୍ସର ବା କର୍କଟ ରୋଗ ସଚେତନତା ଦିବସ। ସମଗ୍ର ବିଶ୍ୱରେ କ୍ୟାନ୍ସର ଏକ ମହାମାରୀ ରୋଗ ଭାବେ ଆତଙ୍କ ଖେଲାଇଛି। ଏହି ରୋଗରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବିଶ୍ୱସ୍ତରରେ ବୃଦ୍ଧିପାଇ ଚାଲିଛି। ଏଥିରୁ ବାଦ ପଡିନି ଭାରତ। ଆବାଳବୃଦ୍ଧବନିତା ସମସ୍ତେ ଏହି ରୋଗର କରାଳ ଗ୍ରସ୍ତରେ ଶିକାର ହେଉଛନ୍ତି। ତେବେ ଏହି ରୋଗ ବୃଦ୍ଧି ପାଇବା ଦିଗରେ ଆଜିକାଲିର ଜୀବନଶୈଳୀରେ ପରିବର୍ତ୍ତନ, ମାନସିକ ଚାପ, ଖାଦ୍ୟପେୟରେ ପରିବର୍ତ୍ତନ ତଥା ବ୍ୟାୟାମର ଅଭାବ ଭଳି କାରଣ ଗୁଡିକର ପ୍ରତ୍ୟକ୍ଷ ହାତ ରହିଛି। ଉଚିତ ସମୟରେ ସତର୍କ ନହୋଇଲେ ଏହାର କୁପରିଣାମ ଭୋଗ କରିବାକୁ ପଡିବ।
ଜାତୀୟ କ୍ୟାନ୍ସର ସଚେତନତା ଦିବସ ପ୍ରତିବର୍ଷ ନଭେମ୍ବର ୭ ତାରିଖ ଦିନ ପାଳିତ ହୋଇଥାଏ। ଏହି ଦିବସ ପାଳନ ଭାରତୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୪ ମସିହାରେ ଆରମ୍ଭ ହୋଇଥିଲା। କ୍ୟାନ୍ସର ରୋଗର ଚିକିତ୍ସା ତଥା ନିରାକରଣ ସହିତ ଏହି ରୋଗର ପୂର୍ବାନୁମାନ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦେଶ୍ୟ। ଏହି ଦିବସ ପାଳନ ଦ୍ୱାରା ଲୋକ ମାନେ କର୍କଟ ରୋଗର ପୂର୍ବ ଲକ୍ଷଣ ତଥା ଜୀବନ ଚର୍ଯ୍ୟାରେ କେଉଁ ପରିବର୍ତ୍ତନ ଦ୍ୱାରା ଏହି ରୋଗର ସମ୍ଭାବନାକୁ ଏଡା ଯାଇପାରିବ, ସେ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତ କରାଯିବା ନିହାତି ଆବଶ୍ୟକ।