ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଆଉ ହସ୍ପିଟାଲ ଭିତରେ ଥିଲେ ୨୦ ନବଜାତକ ଶିଶୁ । ନିଜ ଛୁଆଙ୍କ ଜୀବନ ରକ୍ଷା ପାଇଁ ବାହାରେ ଥିବା ବାପାମା’ ମୁଣ୍ଡ ପିଟୁଥିବା ବେଳେ ଦେବଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ। ନିଜ ଜୀବନକୁ ବାଜିରେ ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଇଲେ ଦିଲ୍ଲୀ ଅଗ୍ନିଶମବାହିନୀ । ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଦିଲ୍ଲୀର ବୈଶାଳୀ ଅଞ୍ଚଳରେ ଥିବା "ନ୍ୟୁ ବର୍ଣ୍ଣ ଚାଇଲ୍ଡ" ହସ୍ପିଟାଲରେ । ରାତିରେ ହସ୍ପିଟାଲରେ ନିଆଁ ଲାଗିଯାଇଥିବାବେଳେ ଠିକ ସମୟରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା, ଆଉ ସବୁ ନବଜାତକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଥିଲା। ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତି ପ୍ରାୟ ୧ଟା୩୫ରେ ହସ୍ପିଟାଲରେ ନିଆଁ ଲାଗିଥିବା ନେଇ ଏକ ଫୋନ୍ କଲ୍ ଆସିଥିଲା। ପ୍ରଥମେ ୪ଟି ଅଗ୍ନିଶମ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ମାତ୍ର ପରେ ହସ୍ପିଟାଲ ମଧ୍ୟରେ ୨୦ ନବଜାତକ ରହି ଯାଇଥିବା ସୂଚନା ପାଇ ତୁରନ୍ତ ଆଉ ୪ଟି ଅଗ୍ନିଶମ ଗାଡ଼ିକୁ ପଠାଗଲା। ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ତୁରନ୍ତ ନିଆଁ କାବୁ ହୋଇଥିଲା ଓ ହସ୍ପିଟାଲରୁ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେ ସମସ୍ତ ନବଜାତକଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଉକ୍ତ ହସ୍ପିଟାଲ ଏକ ମହଲା ବିଶିଷ୍ଟ ହୋଇଥିବା ବେଳେ ସେଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାହିଁକି କରାଯାଇନାହିଁ ବୋଲି ଏହାର ତଦନ୍ତ କରାଯାଉଛି ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀର ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ ସୂଚନା ଦେଇଛନ୍ତି।