ନୂଆଦିଲ୍ଲୀ: ଏଆଇ ଟେକ୍ନୋଲୋଜି ଆଜିର ଦୁନିଆକୁ ବହୁତ ଆଗକୁ ନେଇଯାଇଛି । ଲୋକଙ୍କ ପାଇଁ ବହୁତ କିଛି ସହଜ ମଧ୍ୟ ହୋଇଯାଇଛି । କିନ୍ତୁ ଏଆଇ ଅପବ୍ୟବହାର ଦିନକୁ ଦିନକୁ ବିପଦକୁ ଟାଣି ନେଉଛି । କାହାର ବି ମୁହଁ, କଣ୍ଠ ସ୍ୱର, ଫଟୋ ଏବଂ ଭିଡ଼ିଓକୁ ଅତି ସହଜରେ କେହି ବି ଏଡିଟ୍ କରି ବ୍ୟବହାର କରୁଛି । ତେଣୁ ଅନେକ ବଡ଼ କଳାକାରମାନେ ସେମାନଙ୍କ ‘ବ୍ୟକ୍ତିତ୍ୱ ଅଧିକାର’ (Personality Rights) କୁ ସୁରକ୍ଷା ଦେବା ପାଇଁ ଆଇନର ଆଶ୍ରୟ ନେଇଛନ୍ତି ।
ବ୍ୟକ୍ତିତ୍ୱ ଅଧିକାର କ'ଣ?
ବ୍ୟକ୍ତିତ୍ୱ ଅଧିକାର ଜଣେ ବ୍ୟକ୍ତିଙ୍କ ପରିଚୟ, ଯେପରିକି ତାଙ୍କର ପ୍ରତିଛବି, ନାମ, ସ୍ୱର, ଦସ୍ତଖତ, ଶୈଳୀ କିମ୍ବା କ୍ୟାଚ୍ ଫ୍ରେଜ୍ କୁ ସୁରକ୍ଷା ପ୍ରଦାନ କରେ । ଉକ୍ତ ଲୋକଙ୍କ ବିନା ଅନୁମତିରେ ତାଙ୍କର ଫଟୋ, ନାମ, ସ୍ୱର, ଦସ୍ତଖତ ଇତ୍ୟାଦି ବ୍ୟବହାର କରାଯାଇ ପାରିବ ନାହିଁ । ଏହି ଅଧିକାରଗୁଡ଼ିକ ଆଇନରେ ନିର୍ଦ୍ଦିଷ୍ଟ ଭାବରେ ଅନ୍ତର୍ଭୁକ୍ତ ନୁହେଁ, କିନ୍ତୁ କୋର୍ଟ ସେମାନଙ୍କୁ ଗୋପନୀୟତା, ମାନହାନି ଏବଂ ପ୍ରଚାର ଅଧିକାର ସହିତ ମିଶ୍ରଣ କରି ସୁରକ୍ଷା ଦିଅନ୍ତି ।
ଭାରତରେ ଏହା ସହିତ ଜଡିତ ଅନେକ ଆଇନ ଅଛି । କପିରାଇଟ୍ ଆଇନ 1957 କଳାକାରମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଉପରେ ସ୍ୱତନ୍ତ୍ର ଏବଂ ନୈତିକ ଅଧିକାର ପ୍ରଦାନ କରେ । ଟ୍ରେଡମାର୍କ ଆଇନ 1999, ନାମ, ଦସ୍ତଖତ, ଟ୍ୟାଗ୍ ଲାଇନ୍ କିମ୍ବା କ୍ୟାଚ୍ ଫ୍ରେଜ୍ ଟ୍ରେଡମାର୍କ କରାଯାଇପାରିବ । ଯଦି ଅନୁମତି ବିନା କୌଣସି ବ୍ୟବସାୟିକ ପ୍ରଚାର ପ୍ରସାର କିମ୍ବା କାହାର ନାମ କିମ୍ବା ଶୈଳୀ ବ୍ୟବହାର କରାଯାଉଛି, ତେବେ ସେମାନଙ୍କୁ ଦଣ୍ଡିତ ହେବାକୁ ପଡ଼ିପାରେ ।
୧୯୯୪ରେ ଆର. ରାଜଗୋପାଳ ବନାମ ତାମିଲନାଡୁ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ପରିଚୟ ଏବଂ ଗୋପନୀୟତାକୁ ନିୟନ୍ତ୍ରଣ କରିବାର ଅଧିକାର ଅଛି । ୨୦୧୫ ରଜନୀକାନ୍ତ ମାମଲାରେ ମାଡ୍ରାସ ହାଇକୋର୍ଟ କହିଥିଲେ ଯେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଯାହାକୁ ସହଜରେ ଚିହ୍ନଟ କରାଯାଇଥାଏ ତାଙ୍କ ଅନୁମତି ବିନା ବ୍ୟବହାର କରିବା ବେଆଇନ ଅଟେ ।୨୦୨୩ ଅନିଲ କପୁର ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ପ୍ୟାରୋଡି, ସମାଲୋଚନା ଏବଂ ବ୍ୟଙ୍ଗ ଆଦି କରାଯାଇ ପାରିବ । କିନ୍ତୁ ବାଣିଜ୍ୟିକ ଉଦ୍ଦେଶ୍ୟରେ କାହାର ନାମ, ଫଟୋ ଏବଂ କଣ୍ଠ ସ୍ୱରର ବ୍ୟବହାର ବେଆଇନ ।
ତେବେ କିଛି କଳାକାର ନିଜ ନାଁକୁ ମଧ୍ୟ ଟ୍ରେଡ୍ ମାର୍କ କରିଛନ୍ତି । ଅର୍ଥାତ୍ ସେମାନଙ୍କ ନାଁକୁ କିମ୍ବା ଦସ୍ତଖତକୁ କେହି ନକଲ କରି ବ୍ୟବହାର କରିପାରିବେ ନାହିଁ । ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କରଣ ଜୋହର, ଗାୟକ ଅରିଜିତ ସିଂହ, ଅମିତାଭ ବଚ୍ଚନ, ଅନିଲ କପୁର ଏବଂ ଜ୍ୟାକି ଶ୍ରଫ୍ ପୂର୍ବରୁ ବ୍ୟକ୍ତିତ୍ୱ ଅଧିକାର ସୁରକ୍ଷିତ କରିସାରିଛନ୍ତି । ଏପରିକି ଅମିତାଭ ବଚ୍ଚନ, ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସେମାନଙ୍କର ନାମ ଟ୍ରେଡମାର୍କ କରିଛନ୍ତି । ବମ୍ବେ ହାଇକୋର୍ଟ ଅରିଜିତ ସିଂହଙ୍କ ସ୍ୱରର ଏଆଇ କ୍ଲୋନିଂ ଉପରେ ନିଷେଧ କରିଛନ୍ତି ।
କେବଳ ସେଲିବ୍ରିଟି ନୁହଁନ୍ତି, ମହିଳା ଏବଂ ସାଧାରଣ ଲୋକ ମଧ୍ୟ ପ୍ରତିଶୋଧ ପର୍ଣ୍ଣ କିମ୍ବା ନକଲି ବିଷୟବସ୍ତୁର ଶିକାର ହେଉଛନ୍ତି । ତେଣୁ ଭାରତ ସରକାରଙ୍କୁ ଏଥିପାଇଁ ଆଇନ ଆଣିବାକୁ ପଡ଼ିବ ବୋଲି ଆଇନ ବିଶେଷଜ୍ଞମାନେ ମତ ରଖନ୍ତି । ଏହି ଅଧିକାର କେବଳ ସେଲିବ୍ରିଟିମାନଙ୍କର ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କର, କାରଣ ପରିଚୟ ଏବଂ ଗୋପନୀୟତା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନର ଅବିଚ୍ଛେଦ୍ୟ ଅଂଶ ।