ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ଆଉ ଏ ଦୁନିଆରେ ନାହାଁନ୍ତି । ୮୬ ବର୍ଷ ବୟସରେ ସେ ସମସ୍ତଙ୍କଠାରୁ ବିଦାୟ ନେଇ ପରପାରିକୁ ଚାଲି ଯାଇଛନ୍ତି । ତାଙ୍କର ଦେହାନ୍ତର ଶୋକର ଛାୟା ଖେଳି ଯାଇଛି । ତେବେ ଜଣେ ଏତେ ବଡ଼ ଶିଳ୍ପପତି ହୋଇ ମଧ୍ୟ ରତନ ସାରା ଜୀବନ ଅବିବାହିତ ରହିଛନ୍ତି । ଦୁଇ ଦୁଇ ଥର ପ୍ରେମରେ ପଡ଼ିଥିଲେ, ତଥାପି ସେ ନିଜର ପ୍ରେମକୁ ପାଇ ପାରି ନ ଥିଲେ । ଏ କଥା ଖୋଦ ରତନ କହିଥିଲେ । ତେବେ ଆଜି ସେହି ପ୍ରେମିକାଙ୍କ ମଧ୍ୟରୁ ଜଣେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ରତନ ଯୁବା ଅବସ୍ଥାରେ ଯେତେବେଳେ ଆମେରିକାର ଲସ୍ ଏଞ୍ଜଲସ୍ରେ ଚାକିରି କରୁଥିଲେ ସେତେବେଳେ ଜଣେ ବିଦେଶୀନୀଙ୍କ ପ୍ରେମରେ ପଡ଼ିଯାଇଥିଲେ । କିନ୍ତୁ ଏ ପ୍ରେମ ତାଙ୍କର ଅଧୁରା ରହିଯାଇଥିଲା । ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ପହଞ୍ଚିଥିଲା। ମାତ୍ର ସେତେବେଳେ ତାଙ୍କ ଜେଜେମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଭାରତ ଫେରି ଆସିଥିଲେ । ୧୯୬୨ ମସିହାରେ ଭାରତ-ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ରତନଙ୍କ ପ୍ରେମ ଆଗରେ ଆଉ ଏକ ବାଧା ହୋଇ ଛିଡ଼ା ହୋଇଥିଲା । ଯୁଦ୍ଧ କାରଣରୁ ସେହି ଯୁବତୀଙ୍କ ପରିବାର ତାଙ୍କୁ ଭାରତ ଆସିବାକୁ ଅନୁମତି ଦେଇ ନ ଥିଲେ । ଫଳରେ ରତନଙ୍କ ସ୍ୱପ୍ନ ଭାଙ୍ଗି ଯାଇଥିଲା ।
ଏହା ପରେ ଭାରତରେ ଯେତେବେଳେ ନିଜର ବ୍ୟବସାୟ ପ୍ରତି ଧ୍ୟାନ ଦେଲେ ସେତେବେଳେ ବଲିଉଡ୍ ରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀଙ୍କ ସହିତ ରତନ ଟାଟାଙ୍କ ସମ୍ପର୍କ ନେଇ ବେଶ ଚର୍ଚ୍ଚା ହୋଇଥିଲା । କିନ୍ତୁ ଉଭୟ କେବେ ନିଜ ତରଫରୁ ଦୁନିଆ ଆଗରେ ନିଜର ପ୍ରେମ ସମ୍ପର୍କକୁ ପ୍ରକାଶ କରି ନ ଥିଲେ । ଆଉ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ସିମି ଗେରୱାଲ । ସେତେବେଳେ ସେ ଚଳଚ୍ଚିତ୍ର ଅଭିନୟ କରିବା ସହିତ ଟିଭି କାର୍ଯ୍ୟକ୍ରମ ମଧ୍ୟ ହୋଷ୍ଟ୍ କରିଥିଲେ । ସିମି ନିଜେ ମଧ୍ୟ ରତନଙ୍କର ସାକ୍ଷାତକାର ନେଇଛନ୍ତି । କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଥିଲେ ସିମି । ଏହାରି ମଧ୍ୟରେ ଉଭୟ ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।
ରତନ ଟାଟାଙ୍କ ବିୟୋଗରେ ସିମି ଗେରୱାଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ଏହି ଖବରକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଏହା ବିହୁତ କଷ୍ଟ ଦାୟକ ବୋଲି ସିମି କହିଛନ୍ତି ।