ମୁମ୍ବାଇ: ଚଳଚ୍ଚିତ୍ରରେ ଯାଆଁଳା ଚରିତ୍ର ବା ଡବଲ୍ ରୋଲ୍ ଦେଖିବାକୁ ବହୁତ ମଜା ଲାଗେ । କାହାଣୀରେ ଜଣେ ଶାନ୍ତ ଥିବା ବେଳେ ଆଉ ଜଣେ ଯାଆଁଳା ଚରିତ୍ର ଚାଲାକ ଓ ଚତୁର । ଜଣକୁ ମାଡ଼ ହେଲେ ଅନ୍ୟ ଜଣକୁ କଷ୍ଟ ହୁଏ । ଏଭଳି ପ୍ରକାରର ସିନେମା ଦର୍ଶକଙ୍କୁ ବେଶ ପସନ୍ଦ ଆସେ । ଭାରତୀୟ ସିନେମା ଜଗତରେ ଏଭଳି କାହାଣୀ କେବେ ଆସିଥିଲା ଏବଂ ପ୍ରଥମେ କେଉଁ ଚଳଚ୍ଚିତ୍ରରୁ ଡବଲ ରୋଲ ଆରମ୍ଭ ହୋଇଥିଲା ତାହା ଅନେକ ପାଠକଙ୍କୁ ହୁଏତ ଜଣା ନ ଥିବ । ତେବେ ଏ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।
ଆଇଏମଡିବିର ତଥ୍ୟ ଅନୁସାରେ, ଭାରତ ସ୍ଵାଧିନତା ପାଇବା ପୂର୍ବରୁ ସିନେମା ଆରମ୍ଭ ହୋଇଥିଲା । ଆଉ ଦେଶରେ ୧୯୧୭ରେ ପ୍ରଥମ ‘ଡବଲ୍ ରୋଲ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଆଉ ସେ ଚଳଚ୍ଚିତ୍ରର ନାମ ଥିଲା ‘ଲଙ୍କା ଦହନ’ । ପ୍ରାୟ ୧୦୭ ବର୍ଷ ତଳେ ପୌରାଣିକ ଆଧାରିତ ଏହି ସିନେମା ପ୍ରଥମେ ପ୍ରେକ୍ଷାଳୟକୁ ଆସିଥିଲା । ଦାଦା ସାହେବ ଫାଲକେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଉନ୍ନା ସଂଲୁକେ ରାମଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଆଉ ସିଏ ହିଁ ମାତା ସୀତାଙ୍କ ଚରିତ୍ରକୁ ଅତି ନିଖୁଣଭାବରେ କରିଥିଲେ । କାରଣ ସେତେବେଳେ ମହିଳାମାନେ ଅଭିନୟ କରୁ ନଥିଲେ । ପୁରୁଷମାନେ ମଧ୍ୟ ନାରୀ ଚରିତ୍ର ପାଇଁ ଅଭିନୟ କରୁଥିଲେ । ପ୍ରଥମ ଥର ପାଇଁ ଏଥିରେ ଅଭିନେତା ଉନ୍ନା ସଂଲୁକେ ଦୁଇଟି ଚରିତ୍ରରେ ଅଭିନୟ କରିଥିଲେ ।
ଆଉ ଏହା ପରେ ଡବଲ ରୋଲ୍ ଧାରା ଆରମ୍ଭ ହୋଇଥିଲା । ଏହା ପରେ ଅନେକ ଫିଲ୍ମ ଦେଖିବାକୁ ମିଳିଛି । ଦିଲ୍ଲୀପ କୁମାରଙ୍କ ‘ରାମ ଔର୍ ଶ୍ୟାମ୍’, ହେମା ମାଲିନୀଙ୍କ ଅଭିନୀତ ‘ସୀତା ଔର୍ ଗୀତା’, ଅନୀଲ କପୁରଙ୍କ ‘କିଶନ କହ୍ନୈୟା’, ସଲମାନ ଖାନଙ୍କ ‘ଜୁଡ଼ୱା’ ଆଦି ଫିଲ୍ମ ଦର୍ଶକଙ୍କ ମନ ଛୁଇଁଥିଲା ।