ଅନେକ ବିବାଦ ପରେ ବଲିଉଡ କିଙ୍ଗ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ ‘ସାଟିଫିକେସନ୍’ ନିମନ୍ତେ ସିବିଏଫସି ପରୀକ୍ଷା କମିଟିରେ ପହଞ୍ଚିଥିଲା । ଚଳଚ୍ଚିତ୍ର ଦେଖିବା ପରେ ଗୀତ ସମେତ ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ କେତେକ ପରିବର୍ତ୍ତନ କରି ଉକ୍ତ ସଂଶୋଧିତ ସଂସ୍କରଣକୁ ପୁଣି ଥରେ ଦାଖଲ କରିବା ଲାଗି ‘ଦି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍’ (ସିବିଏଫ୍ସି) ପରାମର୍ଶ ଦେଇଛି | ଏବିଷୟରେ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ପ୍ରସୂନ ଯୋଶୀ |
ପଠାନ ଚଳଚ୍ଚିତ୍ରଟି ୨୦୨୩ ଜାନୁଆରି 25ତାରିଖରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ମଧ୍ୟରୁ ‘ବେଶରମ୍ ରଙ୍ଗ୍’ ଗୀତଟିରେ ଦୀପିକା ପାଦୁକୋନ୍ ପିନ୍ଧିଥିବା ଏକ କମଳା ରଙ୍ଗର ବିକିନି ଉପରେ ବିବାଦ ଆରମ୍ଭ ହୋଇଥିଲା। ସର୍ଜନାତ୍ମକ ପରିପ୍ରକାଶ ଓ ଦର୍ଶକମାନଙ୍କ ଭାବାବେଗ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବା ପାଇଁ ‘ସିବିଏଫ୍ସି’ ସର୍ବଦା ପ୍ରତିବଦ୍ଧ ଓ ଉଭୟ ପକ୍ଷଙ୍କ ସହିତ ସଫଳ ଆଲୋଚନା ମାଧ୍ୟମରେ ସାମାଧାନ ବାହାରି ପାରିବ ବୋଲି ବୋର୍ଡ ବିଶ୍ବାସ ରଖିଥିବା କଥା କହିଛନ୍ତି ଯୋଶୀ |