ମୁମ୍ବାଇ: ମିର୍ଜାପୁର ୱେବ ସିରିଜ ଉପରେ ଫିଲ୍ମ ନିର୍ମାଣକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଚାଲି ଆସିଥିଲା । ଏବେ ଏସବୁ ଚର୍ଚ୍ଚା ଉପରେ ବିରାମ ଲାଗିଛି ଏବଂ ଫିଲ୍ମ ନିର୍ମାଣକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇଛି । ନିର୍ମାତା ଏହାକୁ ଦର୍ଶକଙ୍କ ପାଇଁ ଦୀପାବଳି ଉପହାର ବୋଲି କହିଛନ୍ତି । ପଙ୍କଜ ତ୍ରିପାଠୀ, ଅଲୀ ଫଜଲ ଓ ଦିବେନ୍ଦୁ ଶର୍ମାଙ୍କ ନେଇ ପ୍ରସ୍ତୁତ ଏକ ରୋମାଞ୍ଚକର ଭିଡିଓ ଜରିଆରେ ଜଣାଇ ଦିଆଯାଇଛି ଯେ, ଏବେ ମିର୍ଜାପୁର ଦେଖିବା ପାଇଁ ଥିଏଟର ଯିବାକୁ ପଡିବ । ପଙ୍କଜ ତ୍ରିପାଠୀ କହୁଛନ୍ତି ଏବେ ଭୋକାଲ ବି ବଡ ହେବ । ୨୦୨୬ରେ ମିର୍ଜାପୁର ବଡ ପରଦାକୁ ଆସିବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ୱେବ ସିରିଜକୁ ଫିଲ୍ମରେ ପ୍ରସ୍ତୁତ କରିବା ପାଇଁ ନିର୍ମାତାଙ୍କ ପକ୍ଷରୁ ଘୋଷଣା ହେବା ପରେ ସିନେ ପ୍ରେମୀଙ୍କ ପାଇଁ ଏହା ଖୁସିର ଖବର ହୋଇଛି । ୧ ମିନିଟ୍ ୩୪ ସେକେଣ୍ଡର ଭିଡିଓରେ ପଙ୍କଜ ତ୍ରିପାଠୀ ଏହାର ଘୋଷଣା କରୁଛନ୍ତି । ସେ କହୁଛନ୍ତି, ଗାଦିର ମହତ୍ୱ ଆପଣମାନେ ଭଲ ଭାବେ ଜାଣିଥିବେ । ସମ୍ମାନ, ପାୱାର, କଂଟ୍ରୋଲ । ଆପଣମାନେ ବି ନିଜ ନିଜ ଗାଦିରେ ବସି ମିର୍ଜାପୁର ଦେଖିଛନ୍ତି । କିନ୍ତୁ ଏଥର ଗାଦିରୁ ନ ଉଠିଲେ ବଡ ରିସ୍କ ହେବ ।
ଏହା ପରେ ଅଲୀ ଫଜଲ କହୁଛନ୍ତି, ଠିକ୍ କହିଛନ୍ତି କାଲିନ ଭାଇ । ଏବେ ସବୁ ଖେଳ ବଦଳି ଯାଇଛି । ଏଥର ମିର୍ଜାପୁର ଆପଣଙ୍କ ପାଖକୁ ଆସିବ ନାହିଁ । ଆପଣଙ୍କୁ ଏବେ ମିର୍ଜାପୁର ପାଖକୁ ଯିବାକୁ ପଡିବ । ଦିବ୍ୟନ୍ଦୁ କହୁଛନ୍ତି, ହିନ୍ଦୀ ଫିଲ୍ମର ହିରୋ ହେଉଛୁ ଆମେ । ହିନ୍ଦୀ ଫିଲ୍ମ ତ ଥିଏଟରରେ ଦେଖାଯାଏ । କହିଥିଲି ନା ମୁଁ ଅମର ଅଟେ । ମିର୍ଜାପୁରର ଗାଦି ଉପରେ ବସି ଏଠାରେ ହିଁ ରାଜ କରାଯିବ । ଦର୍ଶକ ଏହି ଘୋଷଣା ଶୁଣି ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।