ଶେଷ ହେଲା ଏକାମ୍ର ଉତ୍ସବ । ଏହାର ଶେଷ ସନ୍ଧ୍ୟାରେ ଜୁବିନଙ୍କ ଗୀତର ଧୁନରେ ନାଚିଲା ଗାଇଲା ଓ ଝୁମିଲା ପୁରା ଭୁବନେଶ୍ୱର । ଜୁବିନ ଷ୍ଟେଜରେ ଅନେକ ହିଟ୍ ହିନ୍ଦୀ ଗୀତଗୁଡିକୁ ଗାଇଥିବା ବେଳେ ଶେଷରେ ଜଗନ୍ନାଥଙ୍କୁ ସମର୍ପିତ 'ତୁମେ ଚାହିଁଲ ବୋଲି ଚକାଆଖି' ଗାଇ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ । ପରେ ପରେ 'ରାମ ଆୟେଙ୍ଗେ' ଗାଇ ଲାଇଭ ବ୍ୟାଣ୍ଡର ପ୍ରଦର୍ଶନକୁ ଶେଷ କରିଥିଲେ । ଏହାପରେ ଆଜି ଜୁବିନ ଜଗା ଦର୍ଶନ ପାଇଁ ପୁରୀ ଶ୍ରୀକ୍ଷେତ୍ର ପହଞ୍ଚିଥିଲେ ।
ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ଜୁବିନ । ପରେ ସେ ପୁରୀର ସମୁଦ୍ର କୂଳକୁ ଯାଇ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଦେଖିଥିଲେ । ଯେଉଁଥିରେ ଜଗନ୍ନାଥଙ୍କ ପ୍ରତିକୃତି ସହ ବାଲୁକାରେ ତାଙ୍କ ଗାଇଥିବା ଗୀତ 'ତୁମେ ଚାହିଁଲ ବୋଲି ଚକାଆଖି' ଲେଖା ହୋଇଥିଲା । ଯାହାକୁ ଦେଖି ସେ ଅନେକ ଖୁସି ହୋଇଯାଇ ଥିବା ବେଳେ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ବାଲୁକାରେ ତିଆରି ଜଗନ୍ନାଥଙ୍କ ସମ୍ମୁଖରେ ପ୍ରାର୍ଥନା କରିବା ପରେ ସେ ଗଣମାଧ୍ୟମ ସହିତ କଥା ହୋଇଥିଲେ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁବିନ କହିଛନ୍ତି ଯେ, ସୁଦର୍ଶନ ପଟ୍ଟନାୟକ ବାଲୁକା କଳାକୁ ଏକ ବର୍ଷ ପୂର୍ବରୁ ଫଲୋ କରି ଆସୁଛି । ମୁଁ ଜଣେ କଳାକାର ସେଥିପାଇଁ ମୁଁ ଜାଣିପାରୁଛି ଯେ, ଗୋଟିଏ କଳାକାର ତା କଳା କୁ କେତେ ଭଲପାଏ । ସେହି କଳାକାର ଟି ସବୁବେଳେ ତାଙ୍କ କଳାକୁ ବହୁତ ସାଇତି କରି ରଖିବାକୁ ଚାହେଁ, ହେଲେ ସୁଦର୍ଶନ ପଟ୍ଟନାୟ ଜାଣିଛନ୍ତି ଯେ ତାଙ୍କ ବାଲୁକା କଳାଟି ବୋଧହୁଏ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ । ତଥାପି ସେ ଏହାକୁ ସେତେ ହିଁ ଭଲପାଇବାର ସହ , ସ୍ନେହର ସହ, ଏବଂ ସୁନ୍ଦରତାର ସହ ତିଆରି କରିଛନ୍ତି ।