ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ରିଏଲ ଲାଇଫ ଟା ରିଲ ଲାଇଫ ଭଳି ରୋମାଞ୍ଚକ ଥିଲା । ଯେପରି ତାଙ୍କ ପ୍ରେମ ଟି ଚର୍ଚ୍ଚାର ବିଷୟ ପାଲଟି ଥିଲା ଠିକ ସେହିପରି ତାଙ୍କ ଛାଡ଼ପତ୍ରଟି ମଧ୍ୟ ସେତେ ହିଁ ଚର୍ଚ୍ଚାର ବିଷୟ ପାଲଟି ଥିଲା । ପ୍ରେମ ପରେ ବିବାହ ତାପରେ ଛାଡପତ୍ର ଆଉ ଏବେ ପୁଣି ଅଜଣା । ଦୀର୍ଘ ଦିନ ପର୍ଯ୍ୟନ୍ତ କୋର୍ଟରେ ଚାଲିଥିଲା ତାଙ୍କର ଏହି ଲଢେଇ । ଏହାପରେ ଦୁହେଁ ଦୁହିଁଙ୍କ ପାଇଁ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ ଜନକ ପୋଷ୍ଟ ମଧ୍ୟ କରୁଥିଲେ । ଏହାପରେ ଏହି ବାଦବିବାଦ ବଢ଼ିବାରେ ଲାଗିଥିଲା । ସତ ଆଉ ମିଛ ଭିତରେ ରହି ଯାଇଥିଲା ତାଙ୍କ ସମ୍ପର୍କ ।
ନିକଟରେ ତାଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଥିଲେ ହାଇକୋର୍ଟ । ଏହାକୁ ନେଇ ଗତକାଲି ସାଂସଦ ଅନୁଭବ ମହାନ୍ତି ଏକ୍ସରେ ଛାଡ଼ପତ୍ରକୁ ନେଇ ଏକ ପୋଷ୍ଟ ଲେଖିଛନ୍ତି । ଅନୁଭବ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା । ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ ଲେଖିଛନ୍ତି। ଆଜି ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବିବାହର ୧୦ ବର୍ଷ ପୂର୍ତ୍ତି ହେଉଥିଲା । କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି ଅନୁଭବ। ତେବେ ଏହାକୁ ନେଇ ବର୍ଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।