ଗାନ୍ଧିନଗର, ଅଗଷ୍ଟ ୩୦ (ଖବର ଓଡ଼ିଶା): ଲୋକପ୍ରିୟ କଣ୍ଠଶିଳ୍ପୀ ବୈଶାଳୀ ବୁଲସାରାଙ୍କ ମୃତଦହେ କାର୍ ଭିତରୁ ଉଦ୍ଧାର ହୋଇଛି । ଗୁଜରାଟର ବଲସାଡ ଜିଲ୍ଲାର ପାରଦୀ ଅଞ୍ଚଳରୁ ମହିଳା କଣ୍ଠଶିଳ୍ପୀଙ୍କ ମୃତଦେହ କାର ଭିତରୁ ଜବତ ହୋଇଛି । ପାର ନଦୀ ପାଶ୍ୱର୍ରେ ଶବ ଠାବ ହେବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୈଶାଳୀଙ୍କ ମୃତଦେହ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । କୁହାଯାଉଛି ଯେ, ବୈଶାଳୀଙ୍କ ନିଖୋଜ ନେଇ ତାଙ୍କ ସ୍ୱାମୀ ୨୪ ଘଣ୍ଟା ପୂର୍ବରୁ ଥାନାରେ ଏତଲା ଦେଇଥିଲେ । ଏବେ ଶବ ମିଳିବା ପରେ ପରିବାର ଉପରେ ଆକାଶ ଛିଣ୍ଡି ପଡ଼ିଥିବା ଭଳି ପରିସ୍ଥିତି ଦେଖାଯାଇଛି ।
ବୈଶାଳୀ ବୁଲସାରା ଭଲସାଡ ଅଞ୍ଚଳରେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ । ପୁଲିସ ଫରେନ୍ସିକ ପୋଷ୍ଟମର୍ଟମ କରିବା ପାଇଁ ବୈଶାଳୀଙ୍କ ମୃତଦେହ ସୁରତ ପଠାଇଛି । ପ୍ରାରମ୍ଭିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ବୈଶାଳୀଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତକଙ୍କ ମା’ଘର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଛି । ପୁଲିସ ବୈଶାଳୀଙ୍କ ସଦସ୍ୟ ଓ ସମସ୍ତ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରୁଛି । ସୂଚନାଯୋଗ୍ୟ, ୨୦୧୧ ମସିହାରେ ହିତେଶ ଓ ବୈଶାଳୀଙ୍କ ବିବାହ ହୋଇଥିଲା । ହିତେଶଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଜଣେ ଝିଅ ଅଛି । ହିତେଶ ଓ ବୈଶାଳୀ ନିଜର ୨ ଝିଅ ଓ ବାପା-ମା’ଙ୍କ ସହିତ ରହୁଥିଲେ ।