ନୂଆଦିଲ୍ଲୀ, ଏପ୍ରିଲ ୨୯ (ଖବର ଓଡ଼ିଶା): ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ପାଇଁ ଅଡୁଆ ବଢ଼ିଛି । ଅମୀଷା ଓ ତାଙ୍କର ବ୍ୟବସାୟୀକ ବନ୍ଧୁ କୃଣାଳ ଗୁମର ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ମାମଲାରେ ୨ ଜଣଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି ହୋଇଥିଲା । ଏହା ପରେ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । କୁହାଯାଉଛି ଯେ, ଏକ ଫିଲ୍ମ ପ୍ରମୋଶନ ଓ ପବ୍ଲିସିଟି ଲାଗି ଉଭୟ ରାଞ୍ଚି ନିବାସୀ ଫିଲ୍ମମେକର ଅଜୟ କୁମାର ସିଂହଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଥିଲେ । ଫିଲ୍ମ ପୂରା ହେବା ପରେ ସୁଧ ସମେତ ଟଙ୍କା ଫେରାଇବାର ଥିଲା । କିନ୍ତୁ ୨୦୧୩ରେ ଆରମ୍ଭ ହୋଇଥିବା ଏହି ଫିଲ୍ମ ପୂରା ହୋଇପାରି ନଥିଲା । ତେଣୁ ଅଜୟ ସିଂହ ଟଙ୍କା ମାଗିବାରୁ ଅମୀଷା ଓ ତାଙ୍କର ବନ୍ଧୁ ଟଙ୍କା ନଦେବା ପାଇଁ ଅନେକ ବାହାନ ଖୋଜିଥିଲେ ।
ଅମୀଷା ପଟେଲଙ୍କ ଦ୍ୱାରା ଅଣାଯାଇଥିବା ସିଆରଏପି ଆବେଦନ ଉପରେ ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି । ବିଚାରପତି ସଂଜୟ କୁମାର ଦ୍ୱିବେଦୀଙ୍କ ଅଦାତଲରେ ଏହି ଶୁଣାଣି ହୋଇଛି । ମାମଲାର ଶୁଣାଣି ସମୟରେ ଉଭୟଙ୍କର ପକ୍ଷ ରଖାଯାଇଥିଲା । ଅଦାତଲ ମାମଲାରେ ସମସ୍ତ ପକ୍ଷଙ୍କ ଶୁଣିବା ପରେ ମାମଲାର ଗୁରୁତରକୁ ନେଇ ଉଭୟ ପକ୍ଷଙ୍କୁ ଲିଖିତ ଭାବେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଏଥି ପାଇଁ ଉଭୟ ପକ୍ଷଙ୍କୁ ୨ ସପ୍ତାହ ସମୟ ଦେଇଛନ୍ତି ।