ବିଗ୍ ବସ୍ ବହୁ ବର୍ଷ ଧରି ଲୋକଙ୍କ ହୃଦୟ ରାଜ କରୁଛି। ଗୋଟିଏ ସିଜିନ୍ ଶେଷ ନ ହଉଣୁ ପରବର୍ତୀ ସିଜିନକୁ ଦର୍ଶକ ଅପେକ୍ଷା କରିବା ଆରମ୍ଭ କରନ୍ତି। ଏବେ ବିଗ୍ ବସ୍ର ୧୯ତମ ସିଜିନ୍ ଆସିବାକୁ ଯାଉଛି। ଶୋ’ ବିଷୟରେ ପ୍ରତିଦିନ ନୂଆ ନୂଆ ଅପଡେଟ୍ ଆସୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି। ତେବେ ବିଗ୍ ବସ୍ର ନୂତନ ସିଜିନ୍ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିର୍ମାତାମାନେ ମଧ୍ୟ ସେଲିବ୍ରିଟିଙ୍କ ପାଖକୁ ଯିବା ଆରମ୍ଭ କରିଦେଲେଣି। ତେବେ ବିଗ୍ ବସ୍ ସିଜିନ୍ ୧୯କୁ ନେଇ ଏକ ଖବର ଚର୍ଚ୍ଚା ଜୋର ଧରିଛି। ଆଉ ସେହି ଖବରଟି ହେଉଛି 'ୟେ ଜାଦୁ ହୈ ଜିନ୍' ସିରିଏଲର ଅଭିନେତା ବିକ୍ରମ ସିଂହ ଚୌହାନଙ୍କ ସହ ଯୋଗାଯୋଗ କରିଛନ୍ତି। ଯାହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଖେଳିଯାଇଛି।
ରିପୋର୍ଟ ଅନୁସାରେ, ସଲମାନ ଖାନ ଜୁନ ମାସରେ ବିଗ ବସ୍ ୧୯ ପାଇଁ ପ୍ରୋମୋ ସୁଟିଂ କରିବେ ଏବଂ ଶୋ'ଟି ଜୁଲାଇରେ ପ୍ରସାରିତ ହେବ। ତେବେ ଶୁଣିବାକୁ ମିଳୁଛି ଏଥର ବିଗ୍ ବସ୍ ଓଟିଟି 4 ଆସିବ ନାହିଁ। ୧୯ ତମ ସିଜିନ୍ ୫ ମାସ ପାଇଁ ଚାଲିବ। ତେବେ ବିକ୍ରମ ସିଂହ ଚୌହାନଙ୍କ ବିଗ ବସ ଆସିବାକୁ ନେଇ ଯେଉଁ ଚର୍ଚ୍ଚା ଧରିଛି ହେଲେ ଉକ୍ତ ଖବରକୁ ଖଣ୍ଡନ କରିଛନ୍ତି ବିକ୍ରମ। ଇଣ୍ଡିଆ ଫୋରମ ସହିତ କଥାବାର୍ତ୍ତା ସମୟରେ ସେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ବିକ୍ରମ କହିଛନ୍ତି ମତେ ସୋ ପାଇଁ ଅଫର ଆସିନାହିଁ ଏବଂ ମୁଁ ମଧ୍ୟ ବିଗ ବସରେ ଆସିବି ନାହିଁ।
ତେବେ ଚଳିତ ବର୍ଷ ଶୋ’ରେ କିଏ ପ୍ରତିଯୋଗୀ ହେବେ ତାହା ଦେଖିବା ଆକର୍ଷଣୀୟ ହେବ। କୁହାଯାଉଛି ଯେ ନିର୍ମାତାମାନେ ଏଥର ଶୋ’ରେ କୌଣସି ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କେବଳ ଟେଲିଭିଜନ କିମ୍ବା ଫିଲ୍ମ ତାରକାମାନଙ୍କୁ ପ୍ରତିଯୋଗୀ ଭାବରେ ରଖିବେ। ଚ୍ୟାନେଲଟି ନିକଟରେ ସୋସିଆଲ ମିଡିଆରେ ଏକ ଆଖିର ଫଟୋ ସେୟାର କରିଛି। ଯାହା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଏକ ଅଲଗା ଖୁସି ଦେଖିବାକୁ ମିଳିଥିଲା।