ଖବର ଓଡିଶା : 16/05/2023:
ବିଗ-ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମହଙ୍ଗା ପଡ଼ିବ କି ବିନା ହେଲ୍ମେଟ୍ରେ ବାଇକ୍ରେ ଯାତ୍ରା କରିବା। ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଅଭିଯୋଗ ମିଳିବା ପରେ ମୁମ୍ବାଇ ପୋଲିସ୍ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି। ଦୁଇ ଦିନ ତଳେ ଅମିତାଭ ଓ ଅନୁଷ୍କା ଉଭୟ ବିନା ହେଲ୍ମେଟ୍ରେ ବାଇକ୍ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ ଟ୍ରୋଲ୍ ହୋଇଛି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁସାରେ, ଅମିତାଭ ଶୁଟିଂ ସେଟ୍ରେ ପହଞ୍ଚିବା ପାଇଁ ଜଣେ ପ୍ରଶଂସକଙ୍କଠୁ ଲିଫ୍ଟ ନେଇଥିଲେ ଓ ତାଙ୍କ ବାଇକ୍ ପଛରେ ବସି ଯାଇଥିଲେ। ସେହିପରି ଟ୍ରାଫିକ ଜାମ୍ ଯୋଗୁ ଶୀଘ୍ର ଶୁଟିଂ ସେଟ୍ରେ ପହଞ୍ଚିବା ପାଇଁ ଅନୁଷ୍କା ଶର୍ମା ନିଜ ବଡିଗାର୍ଡଙ୍କ ସହ ବାଇକ୍ରେ ଯାଇଥିଲେ। ଉଭୟ ଅମିତାଭ ଓ ଅନୁଷ୍କା ବିନା ହେଲ୍ମେଟ୍ରେ ଯାତ୍ରା କରୁଥିବା ନଜର ଆସିଥିଲା। ଖାଲି ଏମାନେ ନୁହନ୍ତି ବାଇକ୍ ଚଳାଉଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧି ନଥିଲେ। ଟ୍ରାଫିକ ଜାମ୍ରୁ ବର୍ତ୍ତିବା ଓ ଠିକ୍ ସମୟରେ ଶୁଟିଂ ସେଟ୍ରେ ପହଞ୍ଚାଇ ଥିବାରୁ ଅମିତାଭ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଇକ୍ରେ ଶୁଟିଂ ସେଟ୍ରେ ପହଞ୍ଚି ଥିବାରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ଅମିତାଭଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ହେଲେ କିଛି ସୋସିଆଲ୍ ମିଡିଆ ୟୁଜର୍ସ ଅମିତାଭ ଓ ବାଇକ୍ ଚଳାଉଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧି ନଥିବାରୁ ଏନେଇ ପ୍ରଶ୍ନ ଉଠାଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ‘ସାର୍, ହେଲ୍ମେଟ୍ କାହିଁ ?’ ଆଉ ଜଣେ ମୁମ୍ବାଇ ପୋଲିସ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଗାଡ଼ି ଚଲାଉଥିବା ଓ ପଛରେ ବସିଥିବା ବ୍ୟକ୍ତି ଉଭୟ ବିନା ହେଲ୍ମେଟ୍ରେ ଯାତ୍ରା କରୁଛନ୍ତି। ତେଣୁ ମୁମ୍ବାଇ ପୋଲିସ୍ ଦୟାକରି ଏହା ଉପରେ ଧ୍ୟାନ ଦିଅନ୍ତୁ’। ବିନା ହେଲ୍ମେଟ୍ରେ ଅମିତାଭ ବାଇକ୍ରେ ଯାତ୍ରା ନେଇ ମୁମ୍ବାଇ ପୋଲିସ୍ ତୁରନ୍ତ ପ୍ରତିକ୍ରିୟା ଦେଇ କହିଛି, ‘ଏନେଇ ଟ୍ରାଫିକ ବ୍ରାଞ୍ଚ୍ ସହ ଶେୟାର କରାଯାଇଛି।’
ସେହିପରି ବିନା ହେଲ୍ମେଟ୍ରେ ଅନୁଷ୍କା ବାଇକ୍ରେ ଯାତ୍ରା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏନେଇ ଜଣେ ୟୁଜର ମୁମ୍ବାଇ ପୋଲିସ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ମୁମ୍ବାଇ ପୋଲିସ୍ ନୋ ହେଲ୍ମେଟ୍ ?’ ଏହାର ଜବାବରେ ମୁମ୍ବାଇ ପୋଲିସ୍ କହିଛି, ଏନେଇ ଟ୍ରାଫିକ ପୋଲିସ୍କୁ ସୂଚନା ଦିଆଯାଇଛି । ଅମିତାଭ ବଚ୍ଚନ ଏବେ ଫିଲ୍ମ ‘ସେକ୍ସନ- 84’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ଅନୁଷ୍କା ମଧ୍ୟ ଫିଲ୍ମ ‘ଚକଡା ଏକ୍ସପ୍ରେସ’ ଶୁଟିଂରେ ବ୍ୟସ୍ତ ଅଛନ୍ତି ।