ପୁଣେ: ବହିଷ୍କୃତ ଆଇଏଏସ୍ ଟ୍ରେନି ପୂଜା ଖେଡକରଙ୍କ ପିତା ଦିଲ୍ଲୀପ ଖେଡକର ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଦିଲ୍ଲୀପ ଖେଡକର ଅହମ୍ମଦନଗର ଦକ୍ଷିଣ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢୁଛନ୍ତି। ତାଙ୍କ ଛାଡ଼ପତ୍ର ହୋଇଥିବା ସେ ତାଙ୍କ ନାମାଙ୍କନପତ୍ରରେ ପ୍ରକାଶ କରିଛନ୍ତି।
୨୦୨୪ ଲୋକସଭା ନିର୍ବାଚନ ସମୟରେ ତାଙ୍କ ସତ୍ୟପାଠରେ ଦିଆଯାଇଥିବା ତଥ୍ୟର ବିପରୀତ ସ୍ଥିତି। ଦିଲ୍ଲୀପ ଖେଡକର ମଧ୍ୟ କିଛି ମାସ ତଳେ ହୋଇଥିବା ଲୋକସଭା ନିର୍ବାଚନଲଢ଼ିଥିଲେ ଏବଂ ନିଜକୁ ମନୋରମା ଖେଡକରଙ୍କ ସହ ବିବାହ କରିଥିବା ବର୍ଣ୍ଣନା କରିଥିଲେ।
ଦିଲ୍ଲୀପ ଖେଡକର ସେତେବେଳେ ବଞ୍ଚିତ ବହୁଜନ ଆଘାଡି ପାର୍ଟି ଟିକେଟରେ ଅହମ୍ମଦନଗର ନିର୍ବାଚନ ମଣ୍ଡଳୀରୁ ସାଧାରଣ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ। ଦିଲ୍ଲୀପ ଖେଡକର ଲୋକସଭା ନିର୍ବାଚନ ପାଇଁ ସତ୍ୟପାଠରେ ମନୋରମା ଖେଡକରଙ୍କୁ ତାଙ୍କ ପତ୍ନୀ ବୋଲି ଦର୍ଶାଇଥିଲେ ଏବଂ ସେମାନଙ୍କର ମିଳିତ ମାଲିକାନାରେ ଥିବା ସମ୍ପତ୍ତିର ବିବରଣୀ ଦେଇଥିଲେ। ସେ ତାଙ୍କ ପରିବାରକୁ ଅବିଭକ୍ତ ହିନ୍ଦୁ ପରିବାର ବୋଲି ବର୍ଣ୍ଣନା କରିଛନ୍ତି।
ଜାତୀୟ ଗଣମାଧ୍ୟମକୁ ମିଳିଥିବା ଦସ୍ତାବିଜରୁ ଜଣାପଡିଛି ଯେ ଦିଲୀପ ଏବଂ ମନୋରମା ଖେଡକର ୨୦୦୯ରେ ପୁଣେର ପାରିବାରିକ ଅଦାଲତରେ ପାରସ୍ପରିକ ସହମତିରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଏବଂ ୨୦୧୦ ଜୁନ୍ ୨୫ରେ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା। କୁହାଯାଏ ଯେ ଛାଡ଼ପତ୍ର ସତ୍ତ୍ୱେ ଉଭୟ ସ୍ୱାମୀ-ସ୍ତ୍ରୀ ପୁଣେର ବାନେର ଅଞ୍ଚଳରେ ମନୋରମା ଖେଡକରଙ୍କ ଏକ ବଙ୍ଗଳାରେ ଏକାଠି ରହୁଥିଲେ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଚାକିରିରୁ ବହିଷ୍କୃତ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ) ନିୟମ, ୧୯୫୪ର ନିୟମ ୧୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ତୁରନ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରୁ ମୁକ୍ତ କରିଛନ୍ତି। ୟୁପିଏସସି ପରୀକ୍ଷାରେ ଓବିସି ଏବଂ ଭିନ୍ନକ୍ଷମ କୋଟାର ଅପବ୍ୟବହାର ଅଭିଯୋଗରେ ସରକାର ପୂଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଜୁଲାଇ ୩୧ରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ତାଙ୍କ ପ୍ରାର୍ଥୀତ୍ୱ ବାତିଲ କରିଥିଲା। ଏଥିସହିତ ସେମାନେ ଭବିଷ୍ୟତ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ସଞ୍ଜୟ ନିରୁପମଙ୍କୁ ମିଳିଲା ଏହି ଆସନରୁ ଟିକେଟ