ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ କରିବା ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ନିର୍ବାଚନ କମିସନ (ଇସିଆଇ) ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ୧୯୯୭ ବ୍ୟାଚ୍ ଆଇପିଏସ୍ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଗୁରୁବାର ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀରେ ଯୋଗ ଦେବାକୁ ଶ୍ରୀ କୁଟ୍ଟେଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ କୁଟ୍ଟେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଫସାଇବା ନେଇ ଇସିଆଇ ପ୍ରମାଣ ପାଇବା ପରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ଏହା ସହିତ ଡିଏସ କୁଟ୍ଟେଙ୍କ ବିରୁଦ୍ଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୨୦୧୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଆଶିଷ ସିଂଙ୍କୁ ଭୁବନେଶ୍ବର ଏମ୍ସ ଡାକ୍ତର ବୋର୍ଡରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଆଜି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଦୁଇ ଆଇପିଏସ୍ ଅଧିକାରୀ ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଅଛନ୍ତି। ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଏମସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବଶ୍ୟକ ପ୍ରକ୍ରିୟା କରିବା ସହ ଶ୍ରୀ ସିଂ କେଉଁ ସବୁ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି, ତା’ର ବିସ୍ତୃତ ରିପୋର୍ଟ ମେ’ ୩୧ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନ ଆୟୋଗ ଦୁଇ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପରେ ବିଜେପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆଜି ଗଣତନ୍ତ୍ର ବିଜୟ ହୋଇଛି। ନିର୍ବାଚନ କମିଶନରଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ରକୁ ସୁଦୃଢ଼ କରୁଛି। ରାଜ୍ୟ ବିଜେପି ଏନେଇ ବାରମ୍ବାର ନିର୍ବାଚନ କମିଶନରଙ୍କ ପାଖରେ ତଥ୍ୟ ରଖିଛି। ଜଣେ ତାମିଲ ବାବୁଙ୍କ ଇସାରାରେ ଡି ଏସ କୁଟ୍ଟେ ଓ ଆଶିଷ ସିଂହ କାମ କରୁଥିଲେ। ଏମାନେ ବିଜେଡିର ଚମଚାଗିରି କରୁଥିଲେ ୨୦୧୯ ନିର୍ବାଚନରେ ମଧ୍ୟ ଏମାନେ କାର୍ଯ୍ୟ କରୁଥିଲେ। ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଭିଆଇଛନ୍ତି। ଆଶିଷ ସିଂ ନେତାଙ୍କୁ ବନ୍ଧୁକ ମୁନରେ ପୂର୍ବରୁ ଡରାଉଥିଲେ । ପୁଲିସ ଗାଡିରେ ଟଙ୍କା ବାଣ୍ଟିଥିଲେ। ସ୍ବାସ୍ଥ୍ୟ ଖରାପ କହି ଛୁଟିରେ ରହି ଲୋକଙ୍କୁ ଡରାଇ ଭୋଟରଙ୍କୁ ଭୂତାଉଥିଲେ। ଏମାନେ ଭାରତୀୟ ପୁଲିସ ସେବା ନାମରେ କଳଙ୍କ। ଏମାନେ ଦାଗି। ଏହା ପୁଲିସକୁ ନିନ୍ଦିତ କରିଛି। ଏପରିକି ଆମ ପ୍ରାର୍ଥୀଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହ ବିଭିନ୍ନ ଜାଗାରେ ଧମକ ଦେଇଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ବର୍ତମାନ ରାଜ୍ୟ ଚଳାଇବାକୁ ଅସମର୍ଥ ଅଛନ୍ତି। ଏପରିକି ଓଡ଼ିଶାର କୌଣସି ନେତୃତ୍ୱକୁ ସ୍ବୀକାର କରିନାହାଁନ୍ତି। ଅନ୍ୟପଟେ ଜଣେ ବାହାର ଲୋକଙ୍କୁ ନିଜ ଉତ୍ତରାଧିକାରୀ ଭାବେ ପ୍ରଦର୍ଶନ କରିଛନ୍ତି। ୫ ତାମିଲଙ୍କୁ ନେଇ ୫ଟି ଗଠିତ ହୋଇଛି। ଏମାନେ ମିଶି ଓଡ଼ିଶାକୁ ଖୋଳ କରିବାକୁ ଚେଷ୍ଟା କରିଛନ୍ତି। ଏହାର ଜବାବ ଦେବେ ଓଡ଼ିଶା ଜନତା।