ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ପାଇଁ ଆରମ୍ଭ ହେବ ଆବେଦନ। ଏହି ପ୍ରକିୟା ମାର୍ଚ୍ଚ ୨୬ ତାରିଖ ଯାଏ ଚାଲିବ। ମେ ୧୧ରୁ ୧୭ ଯାଏ ପରୀକ୍ଷା ହେବ। ମେ ୩୧ରେ ଫଳାଫଳ ପ୍ରକାଶ ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି।
ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ପାଇଁ ମେରିଟ୍ ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ) କରାଯାଇଥାଏ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ ଏପରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହାକୁ ଗତ ୨୨ ତାରିଖରେ ହୋଇଥିବା ପଲିସି ପ୍ଲାନିଂ ବଡିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ବି ଫାର୍ମା, ଏମ୍ସିିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଡେଟ୍ ଏମ୍ବିଏ, ବି କାଟ୍, ନର୍ସିଂ, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ର ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।
ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏଚ୍ଏମ୍ଏସ୍ ନାମଲେଖାକୁ ଛାଡ଼ି ଅନ୍ୟ ସମସ୍ତ କୋର୍ସରେ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେବ। ଜୁନ୍ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦ୍ୱିତୀୟ ଓଜେଇଇ ତଥା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ବି ଟେକ୍, ବି ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ଏମ୍ବିଏ/ଏମ୍ସିଏ କୋର୍ସରେ ନାମଲେଖା ହେବ। ସେହିପରି ଜୁନ୍ ୨୫ରୁ ୩୦ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ଜୁଲାଇ ୨୧ ସୁଦ୍ଧା ସମସ୍ତ କାଉନ୍ସେଲିଂ ପ୍ରକ୍ରିୟା ଶେଷ ହେବ।