ଛାତ୍ରଛାତ୍ରୀମାନେ ପାଠ ନପଢ଼ିଲେ ତାଙ୍କୁ ଅଧ୍ୟାପକମାନେ ତାଗିଦ କରିଥାନ୍ତି ମାତ୍ର ଏବେ କିନ୍ତୁ ସେହି ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ କରିବେ ଅଧ୍ୟାପକଙ୍କ ଭାଗ୍ୟ । ବର୍ତ୍ତମାନ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟାପକଙ୍କ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧ୍ୟାପକଙ୍କ ପାଠପଢ଼ା ହେଉ କି କଲେଜର ଭିତ୍ତିଭୂମିକୁ ନେଇ ହେଉ ଏସବୁକୁ ନେଇ ଏବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ବହୁତ ଗୁଡ଼ାଏ ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଏହି ପ୍ରୟାସ । ଏହାପରେ ଅଧ୍ୟାପକଙ୍କ ପ୍ରଦର୍ଶନକୁ ନେଇ ଛାତ୍ରଛାତ୍ରୀ ଦେଇଥିବା ଅନଲାଇନ ଫିଡବ୍ୟାକରେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ରହିଛି । ଯେଉଁଠି ଅଧ୍ୟାପକମାନେ ୭ଘଣ୍ଟା ପାଠପଢ଼ାଉ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ଅଧ୍ୟାପକ ମଦ୍ୟପାନ କରି କଲେଜ ଆସୁଥିବା ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ପାଠପଢ଼ା ଓ ଭିତ୍ତିଭୂମିର ଅଭାବ ତାଲିକାରେ ବିଜେବି ସ୍ୱୟଂଶାସିତ କଲେଜ, ମହର୍ଷି କଲେଜ, ପୁରୀର ଏସସିଏସ କଲେଜ ଭଳି ରାଜ୍ୟର ଅଗ୍ରଣୀ ଡିଗ୍ରୀ କଲେଜ ରହିଛି । ଅନେକ କଲେଜରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ କେହି ଜଣେ ବି ଠିକ ସମୟରେ କଲେଜକୁ ଆସୁନାହାନ୍ତି । କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ଥିଲେ ବି ଏହାକୁ କାହିଁକି କଡାକଡି ଭାବେ ପାଳନ କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବାରମ୍ବାର ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ କଲେଜ ଓ ବିଶ୍ୱବିଦ୍ୟାଳୟକୁ ତାଗିଦ କରିସାରିଛି । ମାତ୍ର ଏହାକୁ ଖାତିର କରୁନାହିଁ ଶିକ୍ଷାନୁଷ୍ଠାନ ବିଭାଗ | ଆଗକୁ ଶିକ୍ଷାନୁଷ୍ଠାନମାନଙ୍କରେ ନିୟମ କଡ଼ାକଡ଼ି ନକରାଗଲେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ |