ରାଜ୍ୟର ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବଦଳି ନୀତିକୁ ରାଜ୍ୟ ସରକାର ଏବେ କୋହଳ କରିଛନ୍ତି । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆନ୍ତଃଜିଲ୍ଲା ବଦଳି ପ୍ରକ୍ରିୟାକୁ ଅଧିକ ସରଳ କରିବା ସହ ଏଥିରେ ପରିବର୍ତ୍ତନ ଆଣିଛନ୍ତି । ଏନେଇ ଉଭୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିବର୍ତ୍ତନଗୁଡ଼ିକୁ ଆସନ୍ତା ୩୦ଦିନ ମଧ୍ୟରେ ଅନଲାଇନ୍ ଟ୍ରାନ୍ସଫର ପୋର୍ଟାଲରେ ସାମିଲ କରାଯିବା ପରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବଦଳି ପାଇଁ ଆବେଦନ କରିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ଦାବି ଓ ଅଭିଯୋଗକୁ ବିଚାରକୁ ନେଇ ବଦଳି ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳରେ ଆନ୍ତଃଜିଲ୍ଲା ବଦଳି ଚାହୁଁଥିବା ବହୁ ଶିକ୍ଷକ ଉପକୃତ ହେବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ତରଫରୁ ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ ।
ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ସେହିପରି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଟର୍ମିନାଲ ଅସୁସ୍ଥତାକୁ ଆଧାରରେ ଆନ୍ତଃଜିଳ୍ଲା ବଦଳି ହୋଇପାରିବ । ସେହିପରି ଟର୍ମିନାଲ ଅସୁସ୍ଥତା, ପରସ୍ପର ସହମତିରେ ବଦଳି ଓ ୯୦% ବା ତଦୁର୍ଦ୍ଧ୍ୱ ଅଧିକ ଭିନ୍ନକ୍ଷମ ସନ୍ତାନସନ୍ତତି ଥିବା ହାଇସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ୧୫ବର୍ଷିଆ ବଦଳି ନିୟମ ଲାଗୁ କରାଯିବ ନାହିଁ ବୋଲି ବିଭାଗ ତରଫରୁ କୁହାଯାଇଛି।